ସଚିବ ରଞ୍ଜନା ଚୋପ୍ରାଙ୍କ ନୟାଗଡ଼ ଜିଲା ଗସ୍ତ: ଆହାର କେନ୍ଦ୍ରରେ ଖାଇଲେ ଭାତ ଡାଲମା

ନୟାଗଡ଼ ଅଫିସ,୩୧।୧୦: ଅନୁସୂଚିତ ଜାତି ଓ ଜନଜାତି ସଚିବ ତଥା ନୟାଗଡ଼ ଜିଲା ନୋଡାଲ ସଚିବ ରଞ୍ଜନା ଚୋପ୍ରା ବୁଧବାର ନୟାଗଡ଼ ଜିଲା ଗସ୍ତ କରି ବିଭିନ୍ନ ଯୋଜନା ବିଷୟରେ ତଦାରଖ କରିଛନ୍ତି। ଏହା ସହିତ ନୟାଗଡ଼ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରି ସେଠାରେ ଭାତ ଡାଲମା ଖାଇଥିଲେ। ସଚିବ ପ୍ରଥମେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଡିଆରଡିଏ ସମ୍ମିଳନୀ କକ୍ଷ ସୃଜନଠାରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହାପରେ ଇଟାମାଟି ଅଙ୍ଗନୱାଡି କେନ୍ଦ୍ରକୁ ବୁଲିବାକୁ ଯାଇ ସେଠାରେ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ମମତା ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଇଟାମାଟି ଗ୍ରାମରେ ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବା ଏକ ଛତୁଆ କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଇଟାମାଟି ନିର୍ମାଣ ଶମକିମାନେ ପାଇଥିବା ପକ୍କାଘର ବିଷୟରେ ପଚାରି ବୁଝିଥିଲେ। ନୋତରସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ବିଭିନ୍ନ ୱାର୍ଡ, ନିରାମୟ କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ରକୁ ଯାଇ ସଚିବ ଚୋପ୍ରା ସେଠାରେ ଖାଇଥିଲେ। ସେଠାରୁ ନୂଆଗାଁ ବ୍ଲକ ମହୀପୁର ଓ ମାଈଛେଳି ଗ୍ରାମ ପରିଦର୍ଶନ କରି ମହିଳାମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଦଶପଲ୍ଲା ଯାଇ ସେଠାରେ ଟାଙ୍ଗିଆପଲ୍ଲୀସ୍ଥିତ ଆଶ୍ରମ ସ୍କୁଲ ପରିଦର୍ଶନ କରିଥିଲେ। କାଳିଗୋଚ୍ଛା ଗ୍ରାମକୁ ଯାଇ ଉଠା ଜଳସେଚନ ପ୍ରକଳ୍ପ ବିଷୟରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ସହିତ ମଧ୍ୟ ସଚିବ ଚୋପ୍ରା ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡା. ପୋମା ଟୁଡ଼ୁଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share