ସଚେତନତାରେ ଆସିବ ପରିବର୍ତ୍ତନ

ସୋନପୁର,୩୧।୫(ନି.ପ୍ର): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ତମାଖୁ ମୁକ୍ତ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଜିଲା ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଜିଲାପାଳ ମଧୁସୂଦନ ମିଶ୍ର ସଚେତନତା ଦ୍ୱାରା ହିଁ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ମତପ୍ରକାଶ କରିଥିଲେ। ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଏବଂ ସ୍କ୍ରିନିଂ ଶିବିର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହିପରି ତମାଖୁର ବ୍ୟବହାରକୁ ରୋକିବା ପାଇଁ ଚଢାଉ ଓ ସଚେତନତା ସକାଶେ ଜିଲା ଓ ବ୍ଲକସ୍ତରରେ ଟିମ୍‌ ଗଠନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଜିଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ ତମାଖୁ ନିରୋଧ ଆଇନ ସମ୍ପର୍କରେ ଆଲୋଚନା କରିବା ସହ ସମାଜକୁ ତମାଖୁମୁକ୍ତ କରିବାକୁ ହେଲେ ଆହୁରି କଠୋର ଆଇନ ପ୍ରଣୟନର ଆବଶ୍ୟକତା ଅଛି ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦୃଢ ମନୋବଳ ଦ୍ୱାରା ଜଣେ ନିଜକୁ ତମାଖୁଠାରୁ ଦୂରେଇ ଦେଇ ପାରିବ ବୋଲି କହିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ନାୟକ ନିଜ ବ୍ୟକ୍ତିଗତ ଅନୁଭୂତିକୁ ପ୍ରକାଶ କରି କହିଲେ ଯେ, କେବଳ ଆଇନ ପ୍ରଣୟନ ଦ୍ୱାରା ପରିବର୍ତ୍ତନ ସମ୍ଭବ ନୁହେଁ। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ସଚେତନତା ନିହାତି ଜରୁରୀ। ଭାରପ୍ରାପ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନବ କିଶୋର ଦାସ ଯୋଗଦେଇ ଆଗାମୀ ଦିନରେ ଜିଲାର ବିଭିନ୍ନ ସ୍କୁଲ, କଲେଜ ତଥା ସହରର ବସ୍ତି ଅଞ୍ଚଳରେ ସଚେତନତା ତଥା ସ୍କ୍ରିନିଂ ଶିବିର ସବୁ ଆୟୋଜନ କରାଯିବାର ଯୋଜନା ରହିଛି ବୋଲି ସୂଚନା ପ୍ରଦାନ କରିଥିଲେ। ପ୍ରାକ୍ତନ ବିଧାୟକ ଦେବରାଜ ସେଠ୍‌ ସମ୍ମାନିତ ଅତିଥିଭାବେ ଯୋଗଦେଇ ଜିଲାକୁ ତମାଖୁମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ନିରୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଟିବି) ଡାକ୍ତର ପଦ୍ମହଂସା ଦୋରା, ଜିଲା କୁଷ୍ଠ ଅଧିକାରୀ ଡାକ୍ତର ପ୍ରମୋଦ ଚନ୍ଦ୍ର ବିଶ୍ୱାଳ ଓ ଏନଏଚଏମ୍‌ ଡିପିଏମ ଡ. ମୌସୁମୀ ମିଶ୍ର ଉପସ୍ଥିତ ଥିଲେ। ଡାକ୍ତର ସୁବ୍ରତ କୁମାର ଶତପଥୀ ତମାଖୁ ଓ ଫୁସଫୁସ ସ୍ବାସ୍ଥ୍ୟ ଉପରେ ଆଲୋଚନା କରିଥିଲେ। ସଚେତନତା ସଭା ପରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।