ସଚେତନତା ଅଭାବ: ୩୦ କିମି ଭାରରେ ବୁହା ହେଲା ମୃତଦେହ

ମାଲକାନଗିରି, ୩୧।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବିଭିନ୍ନ ସମୟରେ ରୋଗୀ, ଗର୍ଭବତୀ ଓ ମୃତଦେହ ଭାରରେ ବୁହାହେବା ଘଟଣା ଘଟୁଥିବା ଦେଖିବାକୁ ମିଳିଥାଏ। ହେଲେ ସଚେତନତା ଅଭାବରୁ ଜଣେ ମହିଳାଙ୍କୁ ଗୁଣିଆ ପାଖରେ ଚିକିତ୍ସା କରାଇବା ଏବଂ ତାଙ୍କର ମୃତ୍ୟୁ ଘଟିବା ପରେ ମୃତଦେହକୁ ଭାରରେ ବୁହାହେବା ପରି ଘଟଣା ନଜରକୁ ଆସିଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଗ୍ରାମର ମୁଡେ କାଲମାରି(୩୦)ଙ୍କୁ ଜ୍ୱର ହେବା ସହ ହାତ ଗୋଡ଼ ବିନ୍ଧା ହେଉଥିଲା । ପରିବାରଲୋକେ ତାଙ୍କୁ ଚିକିତ୍ସା ପାଇଁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏଠାରେ ଚିିକିତ୍ସା ହେବ ନାହିଁ, ତେଣୁ ତାଙ୍କୁ ଘରକୁ ନେଇଯାଅ ବୋଲି ଡାକ୍ତର କହିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହାପରେ ସେମାନେ ବାଧ୍ୟ ହୋଇ ମାଥିଲିଠାରୁ ପ୍ରାୟ ୪ କିଲୋମିଟର ଦୂର ଗୁରୁଗୁଡ଼ା ଗ୍ରାମର ଜଣେ ଗୁଣିଆ ପାଖରେ ୨ ଦିନ ଚିକିତ୍ସା କରାଇବା ପରେ ବୁଧବାର ରାତିରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ତେବେ ମୃତଦେହକୁ ନିଜ ଗ୍ରାମକୁ ଗାଡ଼ି ଭଡ଼ାକରି ନେବାକୁ ଟଙ୍କା ନ ଥିବାରୁ ପରିବାରବର୍ଗ ଓ ସମ୍ପର୍କୀୟ ମିଶି ପ୍ରାୟ ୩୦ କିଲୋମିଟର ଖଟିଆରେ ବୋହି ନେଇଥିବା ଦେଖାଯାଇଛି । ଏବେବି ଜିଲାର ଲୋକେ ଅନ୍ଧବିଶ୍ୱାର ବଶବର୍ତ୍ତି ହୋଇ ଗୁଣି ଗାରେଡ଼ି ଉପରେ ନିର୍ଭର କରୁଛନ୍ତି । ଫଳରେ ଏଭଳି ଘଟଣାର ପୂନରାବୃତି ଘଟୁଛି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Share