ସଚେତନତା କାଗଜ କଲମରେ ସୀମିତ: ଡ୍ରଗ୍ସ କବଳରେ ଯୁବପିଢ଼ି

କେନ୍ଦୁଝର, ୧।୭(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଡ୍ରଗ୍ସ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ସଚେତନତା କାର୍ଯ୍ୟକ୍ରମ କାଗଜକଲମରେ ସୀମିତ ରହିଛି। ଏ ନେଇ ଯୁବ ପିଢି ପଥଭ୍ରଷ୍ଟ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ମାତୁଥିଲେ ହେଁ ପୋଲିସ କିମ୍ବା ଅବକାରୀ ବିଭାଗ ଧରପଗଡ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏପରିକି କେତେକ ସମୟରେ ପୋଲିସ ବିଭାଗ ଧରପଗଡ଼ ବେଳେ ଡ୍ରଗ୍ସ ଧରୁଥିଲେ ହେଁ ଅଭିଯୁକ୍ତଙ୍କ ବିରୋଧରେ କୋହଳ ମନୋଭାବ ପ୍ରଦର୍ଶନ କରି ମଦ ବା ଅନ୍ୟ ଅପରାଧ ମାମଲା ରୁଜୁ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଡ୍ରଗ୍ସ କାରବାର କରୁଥିବା ଚୋରା ବେପାରୀମାନେ ବେଧଡକ ଭାବେ ଏହାକୁ ଚଳାଇ ଆସୁଥିବାରୁ ଅଭିଭାବକ ତଥା ବୁଦ୍ଧିଜୀବୀ ଭୟ ଓ ଆଶଙ୍କାରେ ରହୁଛନ୍ତି। ସେହିପରି ଅଭିଯୋଗ ମିଳିଲେ ମଧ୍ୟ ପୋଲିସ କିମ୍ବା ଅବକାରୀ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଆକ୍ରୋଶର ଶିକାର ହେବା ଆଶଙ୍କା କରି ସୂଚନାକାରୀମାନେ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ଡ୍ରଗ୍ସ ଖାଇ କ୍ଷୀପ୍ର ଗତିରେ ଗାଡି ଚାଳନା କରୁଥିବାରୁ ଦୁର୍ଘଟଣାର କାରଣ ହେଉଛି ା ସେହିପରି କେତେକ ଯୁବକ ଏହାକୁ ଖାଇ ସମାଜର ମୁଖ୍ୟସ୍ରୋତରୁ ଦୂରେଇ ଯାଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା କୁହାଯାଉଛି ା ସେହିପରି ଏହାକୁ କିଣିବା ପାଇଁ ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ଅନେକ ଅଭିଭାବକ ଚିନ୍ତାରେ ରହୁଥିଲେ ହେଁ ସମାଜରେ ନିନ୍ଦିତ ହେବା ଆଶଙ୍କା କରି ବା ଭୟରେ ମୁହଁ ଖୋଲିପାରୁନାହାନ୍ତି। ଏଣୁ ପୋଲିସ ଓ ଅବକାରୀ ବିଭାଗ ଲୋକଙ୍କ ପାଖରେ ଆସ୍ଥାଭାଜନ ହୋଇ ଏହାର ନିରାକରଣ ପଦକ୍ଷେପ ନେବା ସହ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରାଗଲେ ପ୍ରକୃତରେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଛନ୍ତି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି। କେନ୍ଦୁଝର ସଦର ବ୍ଲକ ଅଞ୍ଚଳ ହେଉଛି ଏହି ଡ୍ରଗ୍ସ ବେପାରୀଙ୍କ ଆଡ୍ଡାସ୍ଥଳ। ସେଠାରୁ ସେମାନେ ଡ୍ରଗ୍ସ ସବୁକୁ କେନ୍ଦୁଝର ସହର ତଥା ଅନ୍ୟାନ୍ୟ ଗ୍ରାମାଞ୍ଚଳକୁ ପଠାଇଥାନ୍ତି। ଏ ନେଇ ପୋଲିସ ଓ ଅବକାରୀ ବିଭାଗର କେତେକ ଅଧିକାରୀ ଜାଣିଥିଲେ ହେଁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି ା ଏଣୁ ଏ ନେଇ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରି ଧରପଗଡ କରିବାକୁ ଅଭିଭାବକ ଓ ବରିଷ୍ଠ ନାଗରିକମାନେ ନିବେଦନ କରିଛନ୍ତି।