ସଚେତନତା ପାଇଁ ପୁରୀରୁ ବାହାରି ପାଟଣାରେ ପହଞ୍ଚିଲେ

ପାଟଣା,୨୬ା୧(ସ୍ବ.ପ୍ର.)- ନିଜେ ଜଣେ ଦିବ୍ୟାଙ୍ଗ ହୋଇ ଓଡ଼ିଶାରୁ କନ୍ୟା ଭ୍ରୁଣ ହତ୍ୟା,ରକ୍ତଦାନ କରି ଜୀବନ ବଞ୍ଚାଇବା ଓ ଗାଡି ଚଳାଇବାବେଳେ ହେଲମେଟ୍‌ ବ୍ୟବହାର କରିବା ଏବଂ ମୋବାଇଲ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ସେ ଅଣ୍ଟା ଭିଡିଛନ୍ତି। ୧୯ ଫେବୃୟାରୀ ୨୦୧୮ରୁ ତିନି ଚକିଆ ସାଇକେଲରେ ପୁରୀରୁ ଯାତ୍ରା ଆରମ୍ଭ କରି ଗାଁକୁ ଗାଁ ବୁଲି ସଚେତନତାର ବାତ୍ତର୍ର୍ା ବାଣ୍ଟୁଛନ୍ତି । ଅଦମ୍ୟ ଇଚ୍ଛା ଶକ୍ତିର ଅନନ୍ୟ ଉଦାହରଣ ସାଜିଥିବା ଏହି ବ୍ୟକ୍ତି ହେଉଛନ୍ତି ୪୬ ବର୍ଷୀୟ ଅରବିନ୍ଦ କୁମାର ମିଶ୍ରାା ବିହାରର ପାଟନା ଏକତାନଗର ମିଥିଳା କଲୋନୀର ବାସିନ୍ଦା। ପିଲାଟି ବେଳୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଚାଲିବା ଶକ୍ତି ହରାଇ ବସିଥିବା ଏହି ବ୍ୟକ୍ତି ଜଣକ ବିଭିନ୍ନ ସମୟରେ ସମାଜର ତୃଣମୂଳ ସ୍ତରର ସମସ୍ୟାକୁ ନେଇ ସଚେତନତା ଜାରୀରଖିଛନ୍ତି। ଏହି ଅବକାଶରେ ସେ ଶନିବାର ପାଟଣା ବ୍ଲକରେ ଅଧକ୍ଷ ବିଶ୍ୱନାଥ ନାଏକ ଓ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକଙ୍କୁ ଭେଟିଛନ୍ତି। ଏଥିପୂର୍ବରୁ ୨୦୧୫ରେ ପୋଲିଓ ମୁକ୍ତ ଭାରତ ପାଇଁ ପୁରୀରୁ ତିନି ଚକିଆ ସାଇକେଲରେ ବାହାରି ସଚେତନ କରାଇଥିଲେ। ମାତ୍ର ଅର୍ଥନୀତିରେ ସମ୍ମାନ ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ହେଁ ତାଙ୍କ ଭଳି ଦିବ୍ୟାଙ୍ଗଙ୍କୁ ସରକାରୀ ଚାକିରୀ ଖଣ୍ଡିଏ ସେଠକାର ସରକାର ଉପଲବ୍ଧ କରାଇ ପାରି ନ ଥିବା ନେଇ ସେ କ୍ଷୋଭ ପ୍ରକାଶ କରନ୍ତି ତେବେ ବାକି ତକ ଜୀବନ ସମାଜ ପାଇଁ କିଛି ଭଲ କାମ କରିବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି। ଇତି ମଧ୍ୟରେ ସେ ପୁରୀ, ଭୁବନେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ପରିକ୍ରମା କରି କେନ୍ଦୁଝର ଜିଲାରେ ପହଞ୍ଚିଛନ୍ତି। ଓଡ଼ିଶାରେ ଆଉ ୪ ଜିଲାରେ ସଚେତନତା ବାର୍ତ୍ତା ବାଣ୍ଟିବେ ା ତା’ପରେ ପଶ୍ଚିମବଙ୍ଗରେ ନିଜ ସଚେତନତା କାର୍ଯ୍ୟକ୍ରମ ଶେଷ କରିବେ ବୋଲି ସୂଚନା ଦେଇଛନ୍ତି ଅରବିନ୍ଦ। ଜଣେ ଦିବ୍ୟାଙ୍ଗ ସଚେତନତା ଉଦ୍ଦେଶ୍ୟରେ ଶହ ଶହ ମାଇଲ ରାସ୍ତା ୩ ଚକିଆ ସାଇକେଲରେ ଯାତ୍ରା କରୁଥିବାରୁ ବିଭିନ୍ନ ଅଞ୍ଚଳରେ ତାଙ୍କୁ ଢେର ପ୍ରଶଂସା ମିଳୁଛି।