ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମାନନ୍ଦ

ପୁରୀ ଅଫିସ, ୧୧ା୭: ଘୋଷଯାତ୍ରା ଏବଂ ବାହୁଡ଼ାଯାତ୍ରା ସମୟରେ ଅନେକ ସାମାଜିକ ଅନୁଷ୍ଠାନ ସଚେତନତା ବାର୍ତ୍ତ ପ୍ରଦାନ କରିଥାନ୍ତି। ଶରଧାବାଲିରେ ଗୁରୁବାର ପରିବେଶ ଓ ଘରଚଟିଆର ସୁରକ୍ଷା ବାର୍ତ୍ତା ଦେଇଥିଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରୁ ଆସିଥିବା ଏ. ବ୍ରହ୍ମାନନ୍ଦ ଆଚାରୀ। ବାତ୍ୟା ଫନୀରେ ପୁରୀ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଜିଲାରେ ବହୁ ଗଛ ଭାଙ୍ଗିପଡ଼ିଛି। ଜୀବଜଗତ ସନ୍ତୁଳନ ଲାଗି ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ଲାଗି ସେ ସଚେତନତା ସୃଷ୍ଟି କରିଛନ୍ତି। ଏଥିସହିତ ଘର ଚଟିଆର ସୁରକ୍ଷା ଲାଗି ଆହ୍ବାନ ଦେଇଛନ୍ତି। ବ୍ରହ୍ମାନନ୍ଦ କହିଛନ୍ତି, ଘରଚଟିଆ ହେଉଛି ପ୍ରକୃତିର ବନ୍ଧୁ। ଏଗୁଡ଼ିକ ଦିନକୁ ଦିନ ଲୋପ ପାଇଯିବାକୁ ବସିଲେଣି। ଏହାର ସୁରକ୍ଷା ପ୍ରତ୍ୟେକ ବ୍ୟକ୍ତିଙ୍କ ଦାୟିତ୍ୱ। ସେହିପରି ସେ ବାଲିକା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନଙ୍କ ଉପରେ ବଢି ଚାଲିଥିବା ନିର୍ଯାତନାକୁ ରୋକିବା ଲାଗି ସମସ୍ତଙ୍କ ଉତ୍ତର ଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ବାଳିକାମାନଙ୍କୁ ନିର୍ଯାତନା ନୁହଁ ବରଂ ସେମାନଙ୍କୁ ଫୁଲ ପରି ଫୁଟିବାକୁ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ବ୍ରହ୍ମାନନ୍ଦ ପୁରୀରେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରି ଆସୁଛନ୍ତି। ଗତ ୫ବର୍ଷ ଧରି ସେ ପରିବେଶ ସୁରକ୍ଷା ଓ ପଲିଥିନମୁକ୍ତ ଭାରତ ଲାଗି ଭକ୍ତଙ୍କୁ ସଚେତନ କରୁଛନ୍ତି। ପଲ୍ଳିଶ୍ରୀ ମେଳାରେ ଚାରାଟିଏ ରୋପଣ କରିବାକୁ ନିଜକୁ ଗଛବେଶରେ ସଜାଇ ଶ୍ରୀକ୍ଷେତ୍ରରେ ବୁଲୁଛନ୍ତି।