ସଚେତନତା ଲାଗି କଳାକୃତି

ସୋର, ୭ା୬(ଡି.ଏନ.ଏ.)-ସୋର ଉତ୍ତରେଶ୍ୱରସ୍ଥିତ ଏଲ୍‌ଏନ୍‌ ଆର୍ଟସ ପକ୍ଷରୁ କରୋନା ସଚେତନତା ଓ ପରବର୍ତ୍ତୀ ବିଶ୍ୱର କାୟାକଳ୍ପ ନେଇ ଏକ ସୃଜନାତ୍ମକ କଳା ଭାସ୍କର୍ଯ୍ୟ ପ୍ରଦର୍ଶନୀ ଓଡିଶା ଲଳିତକଳା ଏକାଡେମୀ ପରାମର୍ଶରେ ଆୟୋଜିତ ହୋଇଯାଇଛି। ଏହି ପଥର ମୂର୍ତ୍ତି ଖୋଦେଇ ଓ ଚିତ୍ରକଳା ଅନୁଷ୍ଠାନର ମୁଖ୍ୟ ବିଶିଷ୍ଟ ପଥରଶିଳ୍ପୀ ବ୍ରଜକିଶୋର ଜେନାଙ୍କ ତତ୍ତ୍ୱାବଧାନରେ ଭିନ୍ନ ଭିନ୍ନ ମଡେଲ ପ୍ରସ୍ତୁତ କରାଯାଇ ବିଶ୍ୱରେ କରୋନା ସଂକ୍ରମଣର ସାମାଜିକ, ମାନସିକ, ଆର୍ଥିକ ଓ ପରିବେଶଜନିତ ପ୍ରଭାବ ସହ ଏହି ମହାମାରୀର କାରଣ ଓ ନିରାକରଣ ନେଇ ସମାଜକୁ ସଚେତନତାର ବାର୍ତ୍ତା ଦିଆଯାଇଛି। ସାମାଜିକ ଦୂରତା ରକ୍ଷା କରି ଏହି ପ୍ରଦର୍ଶନୀ ଦେଖିବାକୁ ଆସୁଥିବା ଲୋକେ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଶିଳ୍ପୀ ଖଗପତି ସାମଲ, ସନ୍ତୋଷ କୁମାର ଦାସ, ମନୋରଞ୍ଜନ ଜେନା, ଆଦିତ୍ୟ କୁମାର ଜେନା, ଲକ୍ଷ୍ମୀକାନ୍ତ ଦାସ, ବୃନ୍ଦାବନ ସେଠୀ ଓ ଅଜିତ କୁମାର ମାନ୍ନା ପ୍ରମୁଖ କଳାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି।