ସଚେତନତା ହିଁ ସଫଳତାର ପୁଞ୍ଜି

ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆଜ୍‌ମା ଦିବସ ଭାବେ ପାଳନ କରାଯାଇଥାଏ। ଲୋକମାନଙ୍କ ମଧ୍ୟରେ ଆଜ୍‌ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ‘ଗ୍ଲୋବାଲ ଇନିସିଏଟିଭ୍‌ ଫର୍‌ ଆଜ୍‌ମା(ଜିଆଇଏନ୍‌ଏ)’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ପ୍ରଥମେ ୧୯୯୮ରେ ଏହି ଅନୁଷ୍ଠାନ ଦ୍ୱାରା ବିଶ୍ୱ ଆଜ୍‌ମା ଦିବସ ପାଳନ କରାଯାଇଥିଲା। ପରେ ବିଶ୍ୱର ବିଭିନ୍ନ ଦେଶରେ ଏହାକୁ ପାଳନ କରାଯାଇଆସୁଛି। ଆଜ୍‌ମାକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ସେ ସମ୍ପର୍କରେ ଅଧିକ ଯତ୍ନବାନ ହେବା ଲାଗି ପରାମର୍ଶ ଦିଆଯାଇଥାଏ। ବିଶ୍ୱବ୍ୟାପୀ ପ୍ରାୟ ୨୪ କୋଟି ଲୋକ ଏହି ରୋଗରେ ପୀଡ଼ିତ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦର୍ଶାଯାଇଛି। ସାଧାରଣତଃ ପିଲାମାନଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖାଦେଇଥାଏ। ଆଜ୍‌ମା କେବେହେଲେ ଭଲ ହୋଇ ନ ଥାଏ, ହେଲେ ଏହାକୁ ସଠିକ୍‌ ନିୟନ୍ତ୍ରଣ କରାଯାଇ ପାରିଲେ ଜଣେ ଉନ୍ନତ ମାନର ଜୀବନ ଯାପନ କରିପାରିବ। ଆଜ୍‌ମା ପୀଡ଼ିତମାନଙ୍କ ଛାତି ଓଜନିଆ ଲାଗିବା, କଫ ବାହାରିବା, ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଥଣ୍ଡା, ଧୂଳି, ଧୂଆଁ ଏହି ରୋଗର ପ୍ରଧାନ ଶତ୍ରୁ ବୋଲି କୁହାଯାଏ। ବିଭିନ୍ନ ଲୋକଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର ଆଜ୍‌ମା ଲକ୍ଷଣ ଦେଖାଯାଇଥାଏ। ଡାକ୍ତରଙ୍କ ପରାମର୍ଶ ମାନି ଚଳିବା ଓ ସେମାନଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରୀ। ଦୈନିକ ବ୍ୟାୟାମ କରିବା ଦ୍ୱାରା ଜଣେ ରୋଗୀ ଏଥିରୁ କିଛି ମାତ୍ରାରେ ଉପଶମ ପାଇଥାଏ। ବିଭିନ୍ନ ବର୍ଗର ଲୋକଙ୍କୁ ଆଜ୍‌ମା ଆକ୍ରାନ୍ତ କରିଥାଏ। କିନ୍ତୁ ସଚେତନ ହେବା ଓ ସଂଯମ ହୋଇ କାର୍ଯ୍ୟକଲେ ଜଣେ ସରଳ, ସ୍ବାଭାବିକ ଓ ସଫଳ ଜୀବନ ଅତିବାହିତ କରିବାରେ କୌଣସି ଅସୁବିଧା ନ ଥାଏ। ଚଳିତବର୍ଷ କରୋନା ଭାଇରସ୍‌ ବିଶ୍ୱକୁ ଆତଙ୍କିତ କରି ରଖିଥିବା ବେଳେ ସଙ୍ଗଠନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରାଯିବାର ସମ୍ଭାବନା ନାହିଁ। ତେଣୁ କେବଳ ସଚେତନତା ହିଁ ସବୁକିଛି ବୋଲି ଆମକୁ ମାନିବାକୁ ପଡ଼ିବ।

Share