ସଚେତନ ନାଗରିକ ଫୋରମର ଦାବି: ପ୍ରକଳ୍ପ ପାଇଁ ସଙ୍କୁଚିତ ନ ହେଉ ଭାଗୀରଥି ସାଗର

ଢେଙ୍କାନାଳ ଅଫିସ, ୧୧।୫- ଢେଙ୍କାନାଳବାସୀଙ୍କ ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତି ସହିତ ଜଡ଼ିତ ଭାଗୀରଥି ସାଗର ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛି ସଚେତନ ନାଗରିକ ଫୋରମ୍‌। ରକ୍ଷଣାବେକ୍ଷଣ ଅଭାବରୁ ଦେଢ଼ଶହ ବର୍ଷର ଏହି ଜଳାଶୟର ଜଳଧାରଣ କ୍ଷମତା କମିବାରେ ଲାଗିଛି। ଏବେ ପୌର ପରିଷଦ ପକ୍ଷରୁ ସୌନ୍ଦର୍ଯ୍ୟକରଣ ପାଇଁ ଏହାର ଚତୁଃପାର୍ଶ୍ୱରେ ପ୍ରକଳ୍ପ ନିର୍ମାଣ କରାଯିବାକୁ ଯୋଜନା  କରାଯାଉଛି। ଏହା କାର୍ଯ୍ୟକାରୀ ହେଲେ ଭାଗୀରଥି ସାଗର ସଙ୍କୁଚିତ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ସହରର ସଚେତନ ନାଗରିକ ବିରୋଧ କରିବା ଆରମ୍ଭ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ୨୬ ଏକର ବିଶିଷ୍ଟ ଉକ୍ତ ବୃହତ୍‌ ଜଳାଶୟ ଉପରେ ହଜାର ହଜାର ପରିବାର ନିର୍ଭରଶୀଳ। ନିକଟରେ ଏହାର ସୌନ୍ଦର୍ଯ୍ୟକରଣ ଲାଗି ଜଳାଶୟ ଚାରିପଟେ ଏକ ପ୍ରକଳ୍ପ ଆରମ୍ଭ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଫଳରେ ପୋଖରୀ ଆହୁରି ସଙ୍କୁଚିତ ହୋଇଯିବ ବୋଲି ସଚେତନ ନାଗରିକ ଫୋରମ୍‌ ପକ୍ଷରୁ କୁହାଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ପୋଖରୀ ଜଳ ଧାରଣ କ୍ଷମତା ବଢ଼ାଇବା ପାଇଁ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବାକୁ  ଫୋରମ୍‌ ସଦସ୍ୟମାନେ ଶୁକ୍ରବାର  ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଜଳାଶୟରୁ ପଙ୍କ ଉଦ୍ଧାର କରିବା, ହୁଡ଼ାକୁ ପଥରବନ୍ଧ ଦ୍ୱାରା ସୁଦୃଢ଼ କରିବାକୁ ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

ସଭାପତି ପ୍ରଦ୍ୟୁମ୍ନ ରଥ, ସମ୍ପାଦକ ଭରତ କୁମାର ଦାସ, ପଙ୍କଜ କୁମାର ନାୟକ, ସୁରେନ୍ଦ୍ର କୁମାର ସ୍ବାଇଁ, ଜ୍ଞାନରଞ୍ଜନ ଶତପଥୀ, ରୁଦ୍ରପ୍ରସାଦ ଶରଣ, ଉଦୟନାଥ ବେହେରା, ଦୀପକ ପ୍ରସାଦ ପଟ୍ଟନାୟକ, ଶୁଭଲକ୍ଷ୍ମୀ ସାହୁ, ରବିନାରାୟଣ ସେନଙ୍କ ସମେତ ବହୁ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।