Categories: ଜାତୀୟ

ସଜ୍ଜାଦ ଲୋନ୍‌ ଅଟକମୁକ୍ତ ପରେ ଗୃହବନ୍ଦୀ

ଶ୍ରୀନଗର,୬ା୨: ଜମ୍ମୁ-କଶ୍ମୀରର ଦୁଇ ପ୍ରମୁଖ ରାଜନେତା ସଜ୍ଜାଦ ଲୋନ୍‌ ଓ ଓ୍ବାହିଦ ପାରାଙ୍କୁ ବୁଧବାର ଅଟକମୁକ୍ତ କରାଯିବା ପରେ ତାଙ୍କୁ ପ୍ରଶାସନ ଗୃହବନ୍ଦୀ ରଖିଛି। ଗତବର୍ଷ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ସହ ଏହି ନେତାମାନଙ୍କୁ ଅଟକ ରଖାଯାଇଥିଲା। ଠିକ୍‌ ୬ ମାସ ପରେ ସେମାନଙ୍କୁ ଅଟକରୁ ମୁକ୍ତ କରାଯାଇଛି। ଜମ୍ମୁ-କଶ୍ମୀର ପିପୁଲ୍ସ କନ୍‌ଫରେନ୍ସ ନେତା ଲୋନ୍‌ ଏବଂ ପିଡିପି ନେତା ଓ୍ବାହିଦ ଶ୍ରୀନଗରସ୍ଥିତ ବିଧାୟକ ହଷ୍ଟେଲରୁ ବାହାରିବା ମାତ୍ରେ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିଲା। ରାଜ୍ୟର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା, ତାଙ୍କ ପୁଅ ଓମାର ଅବ୍‌ଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଏବେ ମଧ୍ୟ ଅଟକ ରହିଛନ୍ତି। ସେମାନେ କେବେ ମୁକ୍ତ ହେବେ ସେନେଇ କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ତାରିଖ ଦେଇନାହାନ୍ତି। ଉପଯୁକ୍ତ ସମୟରେ ସେମାନଙ୍କୁ ମୁକ୍ତ କରାଯିବ ବୋଲି ସରକାର କହିଆସୁଛନ୍ତି। ମଙ୍ଗଳବାର ଜମ୍ମୁ-କଶ୍ମୀର ପ୍ରଶାସନ ଦୁଇଜଣ ନେତା ପୂର୍ବତନ ପିଡିପି ବିଧାୟକ ଐଜାଜ୍‌ ଅହମଦ ମୀର୍‌ ଏବଂ ଶକିଲ ଅହମଦ କଲନ୍ଦରଙ୍କୁ ମୁକ୍ତ କରିଥିଲେ। ଶକିଲ ହେଉଛନ୍ତି ଫେଡେରେଶନ ଚାମ୍ବର ଅଫ୍‌ ଇଣ୍ଡଷ୍ଟ୍ରିଜ୍‌, କଶ୍ମୀରର ପୂର୍ବତନ ଅଧ୍ୟକ୍ଷ।
ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ୩୮୯ ଜଣଙ୍କୁ ଜନସୁରକ୍ଷା ଆଇନ (ପିଏସ୍‌ଏ)ରେ ଅଟକ ରଖାଯାଇଥିବା ସରକାର ବୁଧବାର ରାଜ୍ୟ ସଭାରେ କହିଛନ୍ତି। ମୋଟ ୪୪୪ ଜଣଙ୍କ ବିରୋଧରେ ପିଏସ୍‌ଏରେ ଅଟକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ସେଥିରୁ ବର୍ତ୍ତମାନ ସୁଦ୍ଧା ୩୮୯ ଜଣ ଏବେ ଅଟକ ରହିଥିବା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଥିଲେ।

Share