Categories: ପୁରୀ

ସଞ୍ଜୀବ ଦୁର୍ଗା କ୍ରିକେଟ୍‌ ଉଦ୍‌ଯାପିତ: ବେଙ୍ଗଲ ଟାଇଗର୍‌ ବିଜୟୀ

କୃଷ୍ଣପ୍ରସାଦ,୧୮ା୬(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତର ମା’ ସଞ୍ଜୀବ ଦୁର୍ଗା ଯୁବ ସଂସଦ ତରଫରୁ ରଜ ଉତ୍ସବ ଅବସରରେ ଗ୍ରାମୀଣ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜିତ ହୋଇଛି। ସୋମବାର ହୋଇଥିବା ଏହି ଖେଳରେ ବେଙ୍ଗଲ ଟାଇଗର୍‌ ଟିମ ବିଜୟ ଲାଭ କରିଛି। ଉଦଯାପନୀ ଦିବସରେ ବେଙ୍ଗଲ ଟାଇଗର୍‌ ଓ ସାଇ ସଂସ୍କୃତି ରୟାଲ ଟିମ୍‌ ମଧ୍ୟରେ ଖେଳ ହୋଇଥିଲା। ବେଙ୍ଗଲ ଟାଇଗର୍‌ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୧ଶହ ରନ୍‌ ସଂଗ୍ରହ କରିଥିବାବେଳେ ସାଇ ସଂସ୍କୃତି ସମୁଦାୟ ୭୮ରନ୍‌ କରି ପରାଜିତ ହୋଇଥିଲା । ଉତ୍ସବକୁ ଗ୍ରାମ୍ୟ କମିଟି ସଭାପତି ବାଙ୍କନିଧି ସାହୁ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ସୁରେନ୍ଦ୍ର ଦାସ ଯୋଗଦେଇଥିଲେ । ଦିଲୀପ କୁମାର ଜେନା, ଦୁଃଶାସନ ନାୟକ ଖେଳ ପରିଚାଳନା କରିଥିବାବେଳେ ସୁରେଶ ଚନ୍ଦ୍ର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଗଣେଶ କୁମାର ନାୟକ, ଯୁବ ପ୍ରତିଭା ଦିଲୀପ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ ।