Categories: ଖେଳ

ସଞ୍ଜୁ ସାମସନ୍‌ଙ୍କ ବଦାନ୍ୟତା: ଗ୍ରାଉଣ୍ଡ୍ସମ୍ୟାନକୁ ଦେଲେ ଦେଢ଼ଲକ୍ଷ ଲକ୍ଷ ଟଙ୍କା

ଥିରୁଭାନନ୍ତପୁରମ, ୮।୯- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ୩୬ ରନରେ ଜିତିବା ସହ ଭାରତ-ଏ ସିରିଜକୁ ୪-୧ରେ ହାତେଇ ନେଇଛି। ଶୁକ୍ରବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ୨୦ ଓଭର ବିଶିଷ୍ଟ ୫ ଦିନିକିଆରେ ମ୍ୟାଚ୍‌ରେ ଭାରତ-ଏ ପ୍ରଥମେ ବ୍ୟାଟିଂ କରି ୪ ଉଇକେଟ୍‌ ହରାଇ ୨୦୪ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା-ଏ ୧୬୮ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୪୮ ବଲରୁ ଦ୍ରୁତ ୯୧ ରନର ଇନିଂସ ଖେଳିଥିବା ଉଇକେଟ୍‌କିପର ସଞ୍ଜୁ ସାମସନ ଏହି ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଦ୍ରୁତ ବ୍ୟାଟିଂ କରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ୨୪ ବର୍ଷୀୟ କେରଳ କ୍ରିକେଟର୍‌ ସାମସନ ମ୍ୟାଚ୍‌ ପରେ ମଧ୍ୟ ଏମିତି କିଛି କାମ କରି ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି। ସୂଚନା ମୁତାବକ ସାମସନ ସିରିଜରୁ ପ୍ରାପ୍ୟ କରିଥିବା ସମସ୍ତ ମ୍ୟାଚ୍‌ ପାଉଣାକୁ ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମର ଗ୍ରାଉଣ୍ଡ୍ସମ୍ୟାନଙ୍କୁ ଦାନ କରିଦେଇଛନ୍ତି। ୫ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜର ସମସ୍ତ ମ୍ୟାଚ୍‌ ଏହି ଗ୍ରାଉଣ୍ଡରେ ଖେଳାଯାଇଥିଲା। ସିରିଜର ସମସ୍ତ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲେ ମଧ୍ୟ ଗ୍ରାଉଣ୍ଡ୍ସମ୍ୟାନଙ୍କ କଠିନ ପରିଶ୍ରମ ଯୋଗୁ କୌଣସି ମ୍ୟାଚ୍‌ ବାତିଲ ହୋଇ ନ ଥିଲା। ଗ୍ରାଉଣ୍ଡ୍ସମ୍ୟାନଙ୍କୁ ପ୍ରଶଂସା କରିବା ସହିତ ସାମସନ ୧.୫ ଲକ୍ଷ ଟଙଙ୍କା ପ୍ରଦାନ କରିଥିଲେ। ସିରିଜରେ ପ୍ରତି ମ୍ୟାଚ୍‌ ପିଛା ଖେଳାଳିଙ୍କୁ ୭୫ ହଜାର ଟଙ୍କା ପାଉଣା ପ୍ରଦାନ କରାଯାଉଥିବାବେଳେ ସାମସନ ମାତ୍ର ୨ଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ‘ଆମେ ଗାଉଣ୍ଡ୍ସମ୍ୟାନଙ୍କୁ ସମସ୍ତ ଶ୍ରେୟ ଦେବା ଆବଶ୍ୟକ। ସେମାନଙ୍କ ଯୋଗୁ ହିଁ ଆମେ ଖେଳିପାରିଥିଲୁ। ଯଦି ପଡ଼ିଆରେ କିଛି ସ୍ଥାନ ଓଦାଳିଆ ରହିଥାନ୍ତା ତେବେ ମ୍ୟାଚ୍‌ ଅଫିସିଆଲ ଖେଳିବା ପାଇଁ ଅନୁମତି ଦେଇ ନ ଥାନ୍ତେ। ସେଥିପାଇଁ ମୋର ସମସ୍ତ ମ୍ୟାଚ୍‌ ପାଉଣା ଗ୍ରାଉଣ୍ଡ୍ସମ୍ୟାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲି।

Share