Categories: ଜାତୀୟ

ସଞ୍ଜୟଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୧୬।୧: ଶିବାସନା ନେତା ସଞ୍ଜୟ ରାଉତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ରାଜନୈତିକ ମୋଡ ନେଇଛି। ଏହାକୁ ନେଇ କଂଗ୍ରେସ ସଞ୍ଜୟଙ୍କୁ ଘେରିବା ପରେ ଏବେ ସେ ସଫେଇ ଦେଇଛନ୍ତି। ସଞ୍ଜୟ କହିଛନ୍ତି, ସେ ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହେରୁ ତଥା ଗାନ୍ଧୀ ପରିବାରକୁ ସମ୍ମାନ କରନ୍ତି। ସୂଚନାଯୋଗ୍ୟ, ସଞ୍ଜୟ କହିଥିଲେ ଇନ୍ଦିରା ଗାନ୍ଧୀ ଅଣ୍ଡର ଓ୍ବାର୍ଲଡ ଡନ୍‌ କରିମ ଲାଲଙ୍କୁ ସାକ୍ଷାତ୍‌ କରିବାକୁ ଯାଉଥିଲେ। ଏହାପରେ କଂଗ୍ରେସ ନେତା ସଞ୍ଜୟ ନିରୁପମ ଓ ମିଲିନ୍ଦ ଦଓ୍ବେଡା କହିଥିଲେ ସଞ୍ଜୟ ତାଙ୍କ କଥା ଫେରାଇ ନିଅନ୍ତୁ। ଏହାକୁ ନେଇ ନିରୁପମ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ କହିଥିଲେ, ଭଲ ହେବ ଯଦି ଶିବସେନାର ମିଷ୍ଟର ଶାୟର ମହାରାଷ୍ଟ୍ର ଜନତାଙ୍କୁ ହାଲ୍‌କା ଫୁଲ୍‌କା ଶାୟରି ଶୁଣାଇ ସେମାନଙ୍କର ମନୋରଞ୍ଜନ କରିବେ। ନିରୁପମ ମିଷ୍ଟର ଶାୟର ଶବ୍ଦ ସଞ୍ଜୟଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିଥିବା କୁହାଯାଏ। ଏସବୁ ପରେ ଶେଷରେ ସଞ୍ଜୟ କହିଛନ୍ତି, ଯଦି ତାଙ୍କ କଥା କାହାକୁ ଆଘାତ ଦେଇଛି ତେବେ ସେ ତାଙ୍କ କଥା ଫେରାଇ ନେଉଛନ୍ତି।

Share