Categories: ଜାତୀୟ

ସଞ୍ଜୟ କୋଠାରୀ ହେବେ ସିଭିସି

ନୂଆଦିଲ୍ଲୀ,୨୦ା୨(ପି.ଟି.): ରାଷ୍ଟ୍ରପତିଙ୍କ ସଚିବ ଥିବା ସଞ୍ଜୟ କୋଠାରୀ ଦେଶର ପରବର୍ତ୍ତୀ ମୁଖ୍ୟ ଭିଜିଲାନ୍ସ କମିଶନର (ସିଭିସି) ନିଯୁକ୍ତ ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ନୂଆ ସିଭିସି ଭାବେ କୋଠାରୀଙ୍କୁ ଚୟନ କରିଛି। ସେହିପରି ପୂର୍ବତନ ସୂଚନା ଓ ପ୍ରସାରଣ ସଚିବ ବିମଲ ଜୁଲ୍‌କାଙ୍କୁ ନୂଆ ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ କମିଟି ମନୋନୀତ କରିଛି। ଜୁଲ୍‌କା ଏବେ ସୂଚନା କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ଉଭୟ କୋଠାରୀ ଓ ଜୁଲ୍‌କା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ଅବସର ଗ୍ରହଣ କରିଛନ୍ତି।
ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବିରୋଧ କରିଥିବାବେଳେ କମିଟିର ଅନ୍ୟ ସଦସ୍ୟମାନେ ଏହାକୁ ସମର୍ଥନ କରିଛନ୍ତି। ସୁରେଶ ପଟେଲଙ୍କୁ ଭିଜିଲାନ୍ସ କମିଶନର ଏବଂ ଅନୀତା ପାଣ୍ଡୋଭଙ୍କୁ ସୂଚନା କମିଶନର ଭାବେ ନିଯୁକ୍ତି ଦେବା ଲାଗି କମିଟି ସଂଖ୍ୟାଧିକ ମତରେ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ସେମାନଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

Share