ସଞ୍ଜ ହେଲେ ଧାନ ଫସଲ ଉଜାଡ଼ୁଛନ୍ତି ହାତୀ

ଚମ୍ପୁଆ,୩୦ା୬(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଆରମ୍ଭ ହୋଇଥିବା ବେଳେ ଚାଷୀ କୂଳରେ ଚିନ୍ତା ବଢିବାରେ ଲାଗିଛି। ବିଲରେ ପାଚିଲା ଧାନ ଏବେ ହାତୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହେବାରେ ଲାଗିଛି। ସଞ୍ଜ ନଇଁଲେ ହାତୀ ପଲ ଫେରି ଆସୁଥିବାରୁ ଚାଷୀମାନେ ସଞ୍ଜ ନଇଁବା ପୂର୍ବରୁ ଚାଷ ଜମି ଛାଡି ଘରକୁ ଫେରୁଛନ୍ତି। ଏକ ପଟେ ଅଧା କଟା ଧାନ ବିଡାର ଲୋଭ ଅନ୍ୟ ପଟେ ଜୀବନ ପ୍ରତି ବିପଦ ଚାଷୀଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇଛି।
ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜରେ ଥିବା ୧୮ ଗୋଠିଆ ହାତୀ ପଲ ଗତ ରାତି ରରୁଆଁଗୋଡା, ରଙ୍ଗାମାଟିଆ, କାଟୁଳିକନା ଆଦି ଅଞ୍ଚଳରେ ଉପଦ୍ରବ ଚଳାଇଥିବା ବେଳେ ଉକ୍ତ ଅଞ୍ଚଳରେ ଚାଷ ଜମି ଗୁଡିକରେ ଥିବା ପାଚିଲା ଧାନ ଗୁଡିକୁ ନଷ୍ଟ କରିବା ସହିତ ମାଡି ଦଳି ଦେଇଛନ୍ତି। ଏପରିକି ଜମି ନିକଟ ଖଳାରେ ଥିବା କଟା ଧାନ ଗୁଡିକୁ ଖାଇବା ସହିତ ନଷ୍ଟ କରୁଛନ୍ତି। ଶନିବାର ରାତିରେ ଏହି ହାତୀ ପଲ ରରୁଆଁଗୋଡାର ପଦ୍ମନାଭ ଗିରି, ରଘୁମଣୀ ଗିରି ଓ ବିଦ୍ୟାଧର ଗିରିଙ୍କ ପ୍ରାୟ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ନଷ୍ଟ କରିବା ସହିତ ନିକଟରେ ଥିବା ଖଳାରେ ପଶି କଟା ଧାନକୁ ନଷ୍ଟ କରିଛନ୍ତି। ଏହି ହାତୀ ପଲ ସନ୍ଧ୍ୟା ହେଲେ କେନ୍ଦୁଝର ମଧ୍ୟକୁ ପ୍ରବେଶ କରୁଥିବା ବେଳେ ସକାଳ ହେଲେ ବୈତରଣୀ ପାର ହୋଇ ମୟୂରଭଞ୍ଜକୁ ଯାଉଥିବା ଦେଖିବାକୁ ମିଳିଛି।