ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଜଳେଶ୍ୱର, ୨୨।୧(ଡି.ଏନ.ଏ./ସ୍ବ.ପ୍ର.): ଜଳେଶ୍ୱର ନୋଡ଼ାଲ ଟାଉନ ହାଇସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ଯାଇଥିବା ଜଣେ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କ ବିରୋଧରେ ବାଲେଶ୍ୱର ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଦେଶ (ନଂ-୫୧୨/୧୭ା୧ା୨୦) ଅନୁଯାୟୀ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ମୁଖ୍ୟ କାର୍ଯ୍ୟାଳୟ ଭାବେ କମର୍ଦ୍ଦାସ୍ଥିତ ଜଗନ୍ନାଥ ହାଇସ୍କୁଲକୁ ବଦଳି କରାଯାଇଛି।
ଗତ ଡିସେମ୍ବର ୨୦ତାରିଖରେ ଜଳେଶ୍ୱର ଟାଉନ ନୋଡ଼ାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ସବ୍ୟସାଚୀ ବେହେରା ବାର୍ଷିକ ଉତ୍ସବ ଉପଲକ୍ଷେ ନିମନ୍ତ୍ରଣପତ୍ର ବାଣ୍ଟିବା ପାଇଁ ଯାଇଥିବା ବେଳେ ନୂଆବଜାର ରେଳ ଫାଟକ ନିକଟରେ ଏକ ଇଟା ବୋଝେଇ ଇଞ୍ଜିନ ଚାଳିତ ରିକ୍ସା ଓଲଟି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଛାତ୍ରଙ୍କ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଏଥିନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ଦାୟୀ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ନିମନ୍ତ୍ରଣପତ୍ର ବାଣ୍ଟିବା ପାଇଁ ପିଅନକୁ ନ ପଠାଇ ଛାତ୍ରମାନଙ୍କୁ ପଠାଇଥିବାରୁ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ଆଲୋଚନା ହେଉଛି।

Share