ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପିତ, ପୁରୀ ଜିଲାକୁ ଦୁର୍ଘଟଣାମୁକ୍ତ କରିବା ଲାଗି ଆହ୍ବାନ

ପୁରୀ ଅଫିସ,୧୭।୧: ପୌର ସଦନଠାରେ ଶୁକ୍ରବାର ୩୧ତମ ସଡକ ସୁରକ୍ଷା ସପ୍ତାହ ଉଦ୍‌ଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ ମୁଖ୍ୟ ଅତିଥି, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ଓ ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ସ୍କୁଲ କଲେଜର ବିଦ୍ୟାର୍ଥୀ, ଟ୍ରାଫିକ ପୋଲିସ, ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ।
ଦେଶରେ ୨୦୧୮-୧୯ ରେ ୪ଲକ୍ଷ ୬୭ ହଜାର ସଡକ ଦୁର୍ଘଟଣା ଘଟୁଥିବା ବେଳେ ୧ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣହାନୀ ଘଟିଛି। ଓଡ଼ିଶାରେ ୨୦୧୮-୧୯ରେ ୧୧,୫୦୦ ଦୃର୍ଘଟଣା ଘଟିଥିବା ବେଳେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି । ୨୦୧୯ରେ ୮,୩୦୦ ଦୁର୍ଘଟଣା ଘଟିଥିବା ବେଳେ ୪ହଜାରରୁ ଊର୍ଦ୍ଧ୍ୱ ପ୍ରାଣହାନୀ ଘଟିଛି । ୮୦ପ୍ରତିଶତ ଦୁର୍ଘଟଣା କେବଳ ମଦ୍ୟପାନ ଯୋଗୁ ହେଉଛି। ବାଇକଆରୋହୀ ହେଲମେଟ ପିନ୍ଧନ୍ତୁ, କାର ସିଟ ବେଲ୍ଟ ବାନ୍ଧନ୍ତୁ। ଟ୍ରାଫିକ ନିୟମ ମାନନ୍ତୁ। ଏଥିସହ ପୁରୀ ଜିଲାକୁ ଦୁର୍ଘଟଣାମୁକ୍ତ କରିବା ଲାଗି ଅତିଥିମାନେ ଆହ୍ବାନ ଦେଇଥିଲେ। ସଚେତନ ଦ୍ବାରା ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।