ସତର୍କତା ପରେ ବି ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୯୪ରେ

ଇସ୍‌ଲାମାବାଦ,୧୬।୩: ପାକିସ୍ତାନରେ ସୋମବାର ୪୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ରେ ପହଞ୍ଚିଥିବା କୁହାଯାଉଛି। ରବିବାର ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୫୩ ଥିବା ବେଳେ ଏଥିରେ ଏତେ ପରିମାଣରେ ବୃଦ୍ଧି ଏବେ ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଛି ବୋଲି ଆଲୋଚନା ହେଉଛି। ଏମାନଙ୍କୁ ଇରାନ ସୀମାରେ ଥିବା ତାଫତାନରୁ ସିନ୍ଧ ସ୍ଥାନାନ୍ତର କରାଯାଇଥିବା ପାକିସ୍ତାନ କହିଛି। ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଚାଇନାରେ ଯେତେବେଳେ କରୋନା ଭାଇରସ ଦେଖାଦେଲା ସେତେବେଳେ ଭାରତ ସରକାର ଉହାନ ସହରରେ ଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିଥିଲେ। ହେଲେ ପାକିସ୍ତାନ ସରକାର ତା’ର ନାଗରିକଙ୍କୁ ଚାଇନାରୁ ଆଣିବାକୁ ସଫାସଫା ମନା କରିଦେଇଥିଲା। ପାକିସ୍ତାନର ଏହି ସତର୍କତା ପାଇଁ ଅନେକ ଦେଶ ତା’ର ପ୍ରଶଂସା ମଧ୍ୟ କରିଥିଲେ। ଏହାରି ଭିତରେ ବି ଏବେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ ପହଞ୍ଚିଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଯାଇଛି ।

Share