ସତର୍କତା, ସଚେତନତା ନେଇ ବିଏମ୍‌ସିର ଚଢ଼ାଉ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବ୍ୟାପକ ସଚେତନତା କରୁଛି। ହୋଟେଲ, ଘରୋଇ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋଚିଂ, ମଲ୍‌, ହାଟ, ମନ୍ଦିର, କଲ୍ୟାଣମଣ୍ଡପ, ପାର୍କ, ଖାଦ୍ୟ ଦୋକାନ, ରେଷ୍ଟୁରାଣ୍ଟ ଓ ଡ୍ୟାନ୍ସ ବାର, କର୍ପୋରେଟ୍‌ ସେକ୍ଟର ପାଇଁ ଏସ୍‌ଓପି ଜାରି କରିଛି। ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ୨୦୦୩ର (ଏକ୍ସଏକ୍ସଆଇଆଇ) ଚ୍ୟାପ୍ଟର ଅଧୀନ ୫୮୩ ଓ ୫୯୯ ଧାରାରେ ଏହି ଏସ୍‌ଓପି ଜାରି କରାଯାଇଥିବା ବେଳେ ଉକ୍ତ ଏସ୍‌ଓପିକୁ ନାଗରିକ ତଥା ଅନୁଷ୍ଠାନମାନେ ପାଳନ କରୁଛନ୍ତି କି ନାହିଁ ତାର ତଦାରଖ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏସ୍‌ଓପି ପାଳନ କରୁଥିବା ନାଗରିକ ତଥା ବ୍ୟବସାୟୀ ଓ ଅନୁଷ୍ଠାନଗୁଡ଼ିକୁ ତଦାରଖ କରିବାସହ ସଚେତନ କରାଯାଇଛି। କିଛି ସ୍ଥାନରେ ବ୍ୟବସାୟୀମାନେ ଏସ୍‌ଓପିକୁ ମାନୁ ନଥିବା ପରିଲକ୍ଷିତ ହୋଇଥିବାବେଳେ ପ୍ରଥମ ଥର ପାଇଁ ସେମାନଙ୍କୁ ବୁଝାଯାଇଛି। ପୁର୍ନବାର ଯଦି ସେମାନେ ସଚେତନ ନ ହେବା ସହ ଏସ୍‌ଓପି ନ ମାନନ୍ତି ତେବେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଅବନୀକାନ୍ତ ପଟ୍ଟନାୟକ, ହରିଶଚନ୍ଦ୍ର ନାୟକ ମଙ୍ଗଳବାର ସହରର ବିଭିନ୍ନ ଜୋନ ବୁଲିବା ସହ ହୋଟେଲ, ଘରୋଇ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋଚିଂ, ମଲ୍‌, ହାଟ, ମନ୍ଦିର, କଲ୍ୟାଣମଣ୍ଡପ, ପାର୍କ, ଖାଦ୍ୟ ଦୋକାନ, ରେଷ୍ଟୁରାଣ୍ଟ ଓ ଡ୍ୟାନ୍ସ ବାର, କର୍ପୋରେଟ୍‌ ସେକ୍ଟର ଆଦି ଅଞ୍ଚଳରେ ଯାଞ୍ଚ କରିଥିଲେ।

Share