Categories: ଖେଳ

ସତର୍କ ରହିବା ଜରୁରୀ

ଡିଏଗୋ ମାରାଡୋନା ଯାହା କରି ଦେଖାଇଥିଲେ ତାହା ଲିଓନେଲ ମେସି ଯଦି କରି ଦେଖାଇଦିଅନ୍ତି ତେବେ ଆର୍ଜେଣ୍ଟିନା ତୃତୀୟଥର ବିଶ୍ୱକପ୍‌ ହାସଲ କରିପାରିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଗକୁ ଦୁଇଟି ମ୍ୟାଚ୍‌ ଜିତିବାକୁ ହେବ। ପ୍ରଥମେ ଟୁର୍ନାମେଣ୍ଟରେ ସ୍ଥିର ପ୍ରଦର୍ଶନ କରିଆସୁଥିବା କ୍ରୋଏସିଆକୁ ଅତିକ୍ରମ କରିବାକୁ ପଡ଼ିବ। ମୋ ମତରେ ଯଦି ରୋନାଲ୍‌ଡୋ ସହିତ ପର୍ତ୍ତୁଗାଲ, ଏମ୍‌ବାପେଙ୍କ ସହ ଫ୍ରାନ୍ସ, ନେମାରଙ୍କ ସହ ବ୍ରାଜିଲ ଏବଂ ମେସିଙ୍କ ସହ ଆର୍ଜେଣ୍ଟିନାକୁ ସେମିଫାଇନାଲ ଲାଇନ୍‌-ଅପ୍‌ରେ ଦେଖିବାକୁ ମିଳିଥାନ୍ତା ତେବେ ବିଶ୍ୱର ଶ୍ରେଷ୍ଠ ୪ ଖେଳାଳିଙ୍କ ଉପସ୍ଥିତିରେ ଖେଳ ବେଶ୍‌ ରୋମାଞ୍ଚକ ହୋଇଥାନ୍ତା। କିନ୍ତୁ ଏହା କାହା ହାତର କଥା ନୁହେଁ। ଦୁର୍ଭାଗ୍ୟର ବିଷୟ, ପର୍ତ୍ତୁଗାଲ ଓ ବ୍ରାଜିଲ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଲେ ନାହିଁ। କହିବାକୁ ଗଲେ ଫୁଟ୍‌ବଲରେ ପ୍ରଦର୍ଶନ ଭଲ ନ କଲେ ଅପେକ୍ଷାକୃତ ଶକ୍ତିଶାଳୀ ବିବେଚନା କରାଯାଉଥିବା ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥାଏ। ସାଉଦି ଆରବ ବିପକ୍ଷ ଓପ୍‌ନିଂ ମ୍ୟାଚ୍‌ରେ ପରାଜୟ ପରଠାରୁ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରିଆସୁଛି। ଦଳ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଛି। ନେଦରଲାଣ୍ଡ୍ସ ବିପକ୍ଷ କ୍ୱାର୍ଟର ଫାଇନାଲରେ କୋଚ୍‌ ଲିଓ ସ୍କାଲୋନି ୩-୫-୨ କମ୍ବିନେଶନକୁ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ଦଳ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା। ଦଳ ଯେତେବେଳେ ୨-୦ ଗୋଲ୍‌ରେ ଅଗ୍ରଣୀ ଲାଭ କରିଥିଲା ମ୍ୟାଚ୍‌ ଜିତିବା ନିଶ୍ଚିତ ମନେହେଉଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ୨ଟି ଗୋଲ ବରଣ କରିବା ପରେ ଦଳ ନର୍ଭସ ହୋଇପଡ଼ିଥିଲା। ପରେ ଅତିରିକ୍ତ ସମୟ ଖେଳ ଅମୀମାଂସିତ ଭାବେ ଶେଷ ହେବାରୁ ଦଳ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ବିଜୟଲାଭ କରିଥିଲା। ଏଭଳି ପରିସ୍ଥିତି ଉପୁଜିଲେ ବିଚଳିତ ନ ହେବା ଲାଗି ମୁଁ ଆର୍ଜେଣ୍ଟିନା ଦଳକୁ ପରାମର୍ଶ ଦେବି। ମନେରଖିବାକୁ ହେବ, କ୍ରୋଏସିଆ ଏକ ଅଭିଜ୍ଞ ଓ ପରିପକ୍ୱ ଦଳ। କେବଳ ସେତିକି ନୁହେଁ, ରୁଷିଆରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ର ଫାଇନାଲିଷ୍ଟ ମଧ୍ୟ। ଗତ ବିଶ୍ୱକପ୍‌ର ୬ରୁ ୭ ଖେଳାଳି ଏହାର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଛନ୍ତି। ଲୁକା ମୋଡ୍ରିକ୍‌ଙ୍କ ଉପସ୍ଥିତିରେ ଏହି ଦଳର ମିଡ୍‌ ଫିଲ୍‌ଡ ଖୁବ୍‌ ସୁଦୃଢ଼। ମୋଡ୍ରିକ୍‌ ଜଣେ ମାଷ୍ଟର ପ୍ଲେମେକର ଏବଂ ସମ୍ମାନଜନକ ମାଲନ ଡି’ଅର ପୁରସ୍କାର ବିଜେତା। ହେୟଜ୍ଞାନ ନ କରି ଏହି ଦଳ ବିପକ୍ଷରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆର୍ଜେଣ୍ଟିନା ଓ କ୍ରୋଏସିଆ ମଧ୍ୟରେ ଏକ ଭଲ ମ୍ୟାଚ୍‌ ହେବ, ଏଥିରେ କୌଣସି ସନ୍ଦେହ ନାହିଁ।
-(ଚିଭାକ ସ୍ପୋଟର୍‌ସ)

Share