ପୂରା ନାମ ମୃତ୍ୟୁଞ୍ଜୟ ବାରିକ। ହେଲେ ସମସ୍ତେ ତାଙ୍କୁ ଜୟନ୍ତ ନାମରେ ହିଁ ଜାଣନ୍ତି। ଓଡ଼ିଆ ଯାତ୍ରାଜଗତର ଏକ ଅତି ପରିଚିତ ନାମ ହେଉଛନ୍ତି ମୃତ୍ୟୁଞ୍ଜୟ ବାରିକ ଓରଫ୍ ଜୟନ୍ତ ବାରିକ। ଉଭୟ ନେଗେଟିଭ୍ ଏବଂ ପଜିଟିଭ୍ ଭୂମିକା ତୁଲାଇବାରେ ସେ ସିଦ୍ଧହସ୍ତ। ବାସ୍ତବଧର୍ମୀ ଅଭିନୟ ହିଁ ତାଙ୍କର ପରିଚୟ। ଘର ବାଲେଶ୍ୱର ଜିଲାର ଡୁଙ୍ଗୁରା ନିକଟସ୍ଥ ରଘୁନାଥପୁର ଗ୍ରାମ। ଗ୍ରାମ ଆଖପାଖ ଅଞ୍ଚଳରେ ଯାତ୍ରାର ଏକ ମାହୋଲ ରହିଥିଲା। ଅନେକ ଯାତ୍ରାପାର୍ଟି ତଥା ବହୁ ବଡ଼ ବଡ଼ କଳାକାରଙ୍କୁ ସେ ପିଲାଟି ବେଳୁ ଦେଖୁଥିଲେ। ମାତ୍ର ୧୭ବର୍ଷର ହୋଇଥିଲେ ଆସିଲେ ଯାତ୍ରାକୁ। ଏହା ୧୯୮୮ ମସିହା କଥା। ସ୍କୁଲ ଡ୍ରାମାରେ ଚମତ୍କାର ଅଭିନୟ କରୁଥିଲେ। ପାଣିଛତ୍ର ଗ୍ରାମର ଅଭିନେତା ବାବୁଲି ଭାଇ, ମୁକ୍ତିକାନ୍ତ ଭାଇ ଏବଂ ମଧୁ ସାମଲ ପ୍ରମୁଖ ଥିଲେ ସେତେବେଳେ ନାମକରା କଳାକାର। ସେମାନେ ହିଁ ତାଙ୍କୁ ନେଇ ଆସିଲେ ‘ଜୟ ମା’ ମଙ୍ଗଳା ଗଣନାଟ୍ୟ’କୁ। ପ୍ରଥମେ ତାଙ୍କୁ ଛୋଟମୋଟ ଭୂମିକା ମିଳିଲା। ସେ ନାୟକର ପିଲାବେଳ, ସାନ ଭାଇ, ସାନପୁଅ ଆଦି ଭୂମିକାରେ ଅଭିନୟ କଲେ। ପରେ ବୟସ ବଢ଼ିଲା। ନାୟକ ଭୂମିକାରେ ଆସିଲେ। ଜୟ ମା’ ମଙ୍ଗଳା ଗଣନାଟ୍ୟ ପରେ ସେ ସୋନାଲି ଗଣନାଟ୍ୟ, ତାରାପୁର ଅପେରା, ଓଡ଼ିଶା ଅପେରା, ବାଘାଯତୀନ ଲୋକନାଟ୍ୟ, କଳିଙ୍ଗ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଯାତ୍ରାଗଁା ଆଦିରେ ଅଭିନୟ କରି ନିଜ ପ୍ରତିଭା ପ୍ରଦର୍ଶନ କଲେ। ସମ୍ପ୍ରତି ଜୟନ୍ତ ରାଜଧାନୀ ଅପେରାରେ ଅଭିନୟ କରୁଛନ୍ତି। ଏବେ ସେ ବଡ଼ଭାଇ, ବାପା ଆଦି ଭୂମିକାରେ ଆସୁଛନ୍ତି ମଞ୍ଚ ଉପରକୁ। ଇତିମଧ୍ୟରେ ସେ ବହୁ ନାଟକରେ ଅଭିନୟ କରି ସାରିଛନ୍ତି। ସେଥିମଧ୍ୟରେ ରହିଛି : ଅନ୍ଧ ଆଖିରେ ଚଷମା, ରାମ ପର୍ଶୁରାମ, ଜେଲ ଟାଇଗର, ମଝି ନଈରେ ଘର, ଶ୍ରୀକୃଷ୍ଣ ଆସୁଛନ୍ତି, ଚାଲ ମା’ ଯିବା ଜହ୍ନ ରାଇଜକୁ, ଏତେ ସପନକୁ ରାତି କାହିଁ, ମିଥୁନ ରାଶିର ଝିଅ, ସାନ ଶାଳୀ ଘର ଭୁବନେଶ୍ୱର, ରାଜଧାନୀ ତତେ ଦୂରୁ ଜୁହାର, କିଣା ସ୍ବାମୀ ନେଇ କରିଛି ଘର, ନଁା ନେଇଗଲା ଗଁା ପିଲାଟା, ତୁ ମୋଦି ମୁଁ ଗାନ୍ଧୀ, ବାଃ ବାଃରେ ଉପରବାଲା, ଗୌରୀନାନୀର ନୂଆ ଠିକଣା, ବ୍ରହ୍ମଅସ୍ତ୍ର ଏବଂ ଆହୁରି ଅନେକ। ସମ୍ପ୍ରତି ରାଜଧାନୀ ଅପେରାରେ ତାଙ୍କର ରହିଛି ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ଏବଂ ‘ଭୁଲ ହେଇଗଲା ତତେ ଭଲପାଇ’ ଆଦି ନାଟକ। ସ୍ତ୍ରୀ ସୁଷମା ବାରିକ, ଦୁଇପୁଅ ପ୍ରକାଶ ଏବଂ ରାକେଶ ତଥା ଝିଅ ସୁଜାତାକୁ ନେଇ ସଂସାର କରିଥିବା ଏହି ଅଭିନେତା ଦର୍ଶକମାନଙ୍କୁ ତାଙ୍କ କଳାକାର ଜୀବନର ଶ୍ରେୟ ପ୍ରଦାନ କରନ୍ତି।