ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍କୁ ନେଇ ବେଶ୍ କିଛିଦିନ ହେବ ଫରହା ଖାଁ ଓ ରୋହିତ ସେଟ୍ଟୀ ମୁଖ୍ୟ ଅଭିନେତାଙ୍କୁ ଖୋଜି ଚାଲିଛନ୍ତି। ପ୍ରଥମେ ହ୍ରିତିକ ରୋଶନ, ସଲମାନ ଖାଁ, ରଣବୀର ସିଂ ଓ ଅକ୍ଷୟ କୁମାରଙ୍କ ନାଁ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ କିନ୍ତୁ ଶେଷକୁ ବଲ୍ ପଡିଛି ଅଜୟ ଦେବଗନଙ୍କ କୋଟ୍ରେ। ଶୁଣିବାକୁ ମିଳିଛି ଏମାନେ କେହି ଏହି ରିମେକ୍ ଫିଲ୍ମରେ ଅଭିନୟ କରିବାକୁ ରାଜି ନ ହେବାରୁ ଏବେ ଅଜୟ ଦେବଗନ ଏଥିରେ କାମ କରିପାରନ୍ତି। ଏହାକୁ ନେଇ ଅଜୟ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନ ଥିବା ବେଳେ ଫିଲ୍ମର ନାୟିକା ପାଇଁ କ୍ୟାଟରିନା କୈଫଙ୍କ ସହ କଥାବାର୍ତ୍ତା ଚାଲିଥିବା ଜଣାପଡିଛି। ଯଦି ‘ସତ୍ତେ ପେ ସତ୍ତା’ର ରିମେକ୍ରେ କାମ କରିବାକୁ ଉଭୟ କଳାକାର ରାଜି ହୋଇଗଲେ ତେବେ ପ୍ରଥମଥର ଲାଗି ଏମାନଙ୍କୁ ରୋମାଣ୍ଟିକ ଯୋଡି ଭାବେ ଦେଖିବାକୁ ମିଳିବ। କାହିଁକିନା ଏହା ପୂର୍ବରୁ ଏମାନେ ଫିଲ୍ମ ‘ରାଜନୀତି’ରେ ସହ କଳାକାର ଭାବେ ନଜର ଆସିଥିଲେ।