ସତ୍ୟଜିତ୍‌ଙ୍କୁ ଅଗ୍ନିଶମ ଅତିରିକ୍ତ ଦାୟିତ୍ୱ; ଅରୁଣ ବୋଥ୍ରା ଓଏସ୍‌ଆର୍‌ଟିସି ଅଧ୍ୟକ୍ଷ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୯୮୮ ବ୍ୟାଚ ଆଇପିଏସ୍‌ ଅଫସର ତଥା ସ୍ପେଶାଲ୍‌ ଡିଜି (ଇଣ୍ଟେଲିଜେନ୍ସ) ସତ୍ୟଜିତ୍‌ ମହାନ୍ତିଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେସୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ସେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ୨୦୧୧ ବ୍ୟାଚ ଆଇପିଏସ୍‌ ଅଫିସର ତଥା ବାଲେଶ୍ୱର ଏସ୍‌ପି ଯୁଗଳ କିଶୋର କୁମାର ବାନୋଥଙ୍କୁ କଟକ (ଗ୍ରାମାଞ୍ଚଳ)ଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ୨୦୧୨ ବ୍ୟାଚ ଆଇପିଏସ୍‌ ଅଫିସର ତଥା କ୍ରାଇମବ୍ରାଞ୍ଚ ଏସ୍‌ପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ୱର ଏସ୍‌ପି ଭାବେ ବଦଳି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

Share