ସତ୍ୟବାଦୀରେ ଗୁଳିକାଣ୍ଡ: ଯୁବକଙ୍କ ଜୀବନଗଲା, ପ୍ରତିବାଦରେ ରାଜପଥ ଅବରୋଧ

ସତ୍ୟବାଦୀ,୯।୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ବଡ଼ କାଞ୍ଜିଆ ଛକରେ ରବିବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏଥିରେ ପୁରନ୍ଦର ବେହେରା ଓରଫ ଭାସିଆ ନିହତ ହୋଇଛନ୍ତି। ତାଙ୍କ ଶ୍ବଶୁର ଘର ନିକଟରେ ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ଖବରପାଇ ପରିବାର ଲୋକେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ୱର – ପୁରୀ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
ସୂଚନାନୁଯାୟୀ, ନୟାଗଡ଼ ଜିଲା ଛାମୁଡିଆ ଅଞ୍ଚଳର ମୃତ ଭାସିଆ ସତ୍ୟବାଦୀର ବଡ଼କାଞ୍ଜିଆରେ ବିବାହ କରିଥିଲେ। ନିକଟରେ ଘରଭଡ଼ା ନେଇ ପରିବାର ସହ ରହିବା ସହ ଜଣେ ରଙ୍ଗମିସ୍ତ୍ରୀ ଭାବରେ କାମ କରନ୍ତି। ରବିବାର ସନ୍ଧ୍ୟାରେ ଏକ ଢାବାରେ ସପ୍ଲାୟର କାମ ମଧ୍ୟ କରୁଥିଲେ। ସେହିରାତିରେ ଢାବାକୁ ଖାଇବା ପାଇଁ ଆସିଥିବା କିଛି ଅଜଣା ଗ୍ରାହକଙ୍କ ସହ ଝଗଡ଼ା ହୋଇଥିଲା। ପରେ ଗ୍ରହକମାନେ ଘଟଣାସ୍ଥଳରେ ଅନ୍ୟ ଏକ ଢାବାରେ ଖାଇବା ପରେ ଭାସିଆ ଓ ତାଙ୍କ ଢାବା ମାଲିକ ସେଠାରେ ପହଞ୍ଚି ଝଗଡ଼ା କରିବା ପରେ ସେମାନେ ଗୁଳି କରିଥିଲେ। ଥାନାରେ ଅଟକ ରହିଥିବା ମାଲିକ ପୋଲିସକୁ କହିଛନ୍ତି। ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି। ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିବା ପରେ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି। ଅନ୍ୟପକ୍ଷରେ ହତ୍ୟାକାଣ୍ଡରେ ଢାବା ମାଲିକଙ୍କ ସମୃକ୍ତି ରହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।