ସତ୍ୟବାଦୀ ଥାନା ପରିଦର୍ଶନ କଲେ ଗୃହରାଷ୍ଟ୍ର ମନ୍ତ୍ରୀ: ପୋଲିସ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବାକୁ ପରାମର୍ଶ

ସାକ୍ଷୀଗୋପାଳ,୧୭।୧୧(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶନିବାର ସାରେ ଅଚାନକ ପୁରୀ ଜିଲା ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି । ବିଭିନ୍ନ ସମସ୍ୟାରେ ପଡ଼ି ଥାନାକୁ ଆସୁଥିବା ଲୋକଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ପୋଲିସ ସେମାନଙ୍କର ଆସ୍ଥା ଭାଜନ ହେବା ପାଇଁ ମନ୍ତ୍ରୀ ପୋଲିସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହିଳା ଓ ଶିଶୁ ଡେସ୍କରେ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି, ଥାନାକୁ ଅଭିଯୋଗ ନେଇ ଆସୁଥିବା ମହିଳାମାନଙ୍କର ଅଭିଯୋଗ ମହିଳା ପୋଲିସ ଶୁଣୁଛନ୍ତି କି ନାହିଁ, ପୂର୍ବପେକ୍ଷା ଅପରାଧ ହାର କମିବା, ପାଟ୍ରୋଲିଂ ନିମନ୍ତେ ପୋଲିସ ଭ୍ୟାନ୍‌ ସଜାଗ ରହିବା, ଷ୍ଟାଫ କ୍ୱାର୍ଟର୍ସ, ଆଦି ସମ୍ପର୍କରେ ଥାନା ଆଇଆଇସି ଶକୁନ୍ତଳା ପତି ଓ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟତଃ ମୋ’ ସରକାର କାର୍ଯ୍ୟକ୍ରମରେ ଲୋକେ କିଭଳି ସୁବିଧା ପାଉଛନ୍ତି ଏହାର ସମୀକ୍ଷା କରିଥିଲେ। ତାଙ୍କ ସହିତ ପୂର୍ବତନ ବିଧାୟକ ଅଭିନେତା ଆକାଶ ଦାସ ନାୟକ ଓ ପୁରୀ ଏମ୍‌ପିଙ୍କ ପ୍ରତିନିଧି ବିଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।