Categories: ବାଣିଜ୍ୟ

ସତ୍ୟମ୍‌ ମାମଲାରେ ସେବିକୁ ସ୍ୟାଟ୍‌ର ଝଟକା;ପିଡବ୍ଲ୍ୟୁସି ଉପରେ ଲାଗିଥିବା କଟକଣା ଉଠିଲା

ମୁମ୍ବାଇ,୧୦-୯: ସତ୍ୟମ୍‌ କମ୍ପ୍ୟୁଟର ଦୁର୍ନୀତି ମାମଲାରେ ପୁଞ୍ଜି ବଜାର ନିୟାମକ ସେବିକୁ ଜୋରଦାର ଝଟକା ଲାଗିଛି। ପ୍ରତିଭୂତି ଅପିଲୀୟ ନ୍ୟାୟାଧିକରଣ(ସ୍ୟାଟ୍‌) ୭୮୦୦ କୋଟି ଟଙ୍କାର ସତ୍ୟମ୍‌ ଦୁର୍ନୀତି ମାମଲାରେ ପ୍ରାଇସ୍‌ ଓ୍ବାଟରହାଉସ୍‌ କୁପର୍ସ(ପିଡବ୍ଲ୍ୟୁସି) ଉପରେ ଲାଗିଥିବା ୨ ବର୍ଷର କଟକଣାକୁ ହଟାଇ ଦେଇଛନ୍ତି। ସେବି ପକ୍ଷରୁ ଏହି କଟକଣା ଜାରି କରାଯାଇଥିଲା। ଏହି ମାମଲାରେ ପିଡବ୍ଲ୍ୟୁସିରୁ ଆଂଶିକ ଭାବେ ୧୩ କୋଟି ଟଙ୍କା ଫେରାଇ ନେବାକୁ ସ୍ୟାଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ୨୦୦୯ ଜାନୁୟାରୀରେ ସତ୍ୟମ୍‌ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଥିଲା। କମ୍ପାନୀ ପ୍ରତିଷ୍ଠାତା ତଥା ଏମ୍‌ଡି ରାମଲିଙ୍ଗା ରାଜୁ ଦୁର୍ନୀତିରେ ସାମିଲ ଥିବା ସ୍ବୀକାର କରିଥିଲେ। ସତ୍ୟମ୍‌ର ଅଡିଟ ଦାୟିତ୍ୱରେ ଥିବା ପିଡବ୍ଲ୍ୟୁସି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେବି ପକ୍ଷରୁ ଉକ୍ତ କଟକଣା ଜାରି କରାଯାଇଥିଲା। ଏହି ମାମଲାର ଶୁଣାଣି କରି ସ୍ୟାଟ୍‌ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, କୌଣସି ଅଡିଟ୍‌ କମ୍ପାନୀ ବିରୋଧରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ(ଆଇସିଏଆଇ) କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଅଡିଟ୍‌ ଦାୟିତ୍ୱ ତୁଲାଇବାରେ ଅବହେଳା କରିବା ଦ୍ୱାରା ଏହା ସ୍ପଷ୍ଟ ହୋଇନାହିଁ ଯେ, ଉକ୍ତ କମ୍ପାନୀ ଦୁର୍ନୀତିରେ ସାମିଲ ଥିଲା। ଅଡିଟର ଗୁଣବତ୍ତା ଓ ଯାଞ୍ଚ କରିବାର ଅଧିକାର ସେବି ହାତରେ ନାହିଁ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

Share