ସତ ହେଲା ଧରିତ୍ରୀ ଆଶଙ୍କା: ୬ ଡିଏସ୍‌ପିଙ୍କ ବଦଳି, ଭୁବନେଶ୍ୱର ଫେରିଲେ ଅନୁପ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଗତ ନିର୍ବାଚନକୁ ଆଖି ଆଗରେ ରଖି ଓ ଆଇନ ସୁରକ୍ଷାକୁ ନଜର କରି ରାଜ୍ୟ ସରକାର କେତେକ ପୋଲିସ ଅଧିକାରଙ୍କୁ ଅଚାନକ ବଦଳି କରି ଦେଇଥିଲେ। ନିର୍ବାଚନ ଶେଷ ହେବା ପରେ ବଦଳିଥିବା ଅଧିକାରୀମାନେ ପୁଣି ସେହି ଅଞ୍ଚଳକୁ ଆସିବା ପାଇଁ ଲବି କରିଥିବାର ଜଣାପଡିଥିଲା। ଏହା ଜଣାପଡିବା ପରେ ଗତ ମେ ୨୭ରେ ବଦଳି ଅଫିସର ରାଜଧାନୀ ଫେରିବେ ବୋଲି ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ନିର୍ବାଚନର ୪ମାସ ପରେ ପୁଣି ବଦଳି ହୋଇଯାଇଛି। ଫଳରେ ବଦଳି ହୋଇ କଟକରେ ଆଇୟୁସିଏଡବ୍ଲ୍ୟୁରେ ଥିବା ଡିଏସ୍‌ପି ଅନୁପ କାନୁନଗୋଙ୍କୁ ରାଜଧାନୀକୁ ଏସିପି ଭାବେ ବଦଳି କରାଯାଇଛି। ସେ ରାଜଧାନୀରେ ୧୦ବର୍ଷ ରହିସାରିଥିଲେ ମଧ୍ୟ କିଭଳି ପୁଣି ରାଜଧାନୀକୁ ଅଣାଗଲା ତାହାକୁ ନେଇ ପୋଲିସ ବିଭାଗ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ପାଉଛି। ତାଙ୍କୁ ରାଜଧାନୀରେ କୌଣସି ଜୋନ୍‌ ଯଦି ଦିଆଯାଏ ତେବେ କଟକରୁ ଆସି ରହିଥିବା ଅନ୍ୟ ପୋଲିସ ଅଫିସରଙ୍କ ମଧ୍ୟରେ ବିଦ୍ରୋହ ଦେଖାଦେଉଛି। ତେଣୁ ତାଙ୍କର ରାଜଧାନୀକୁ ଆସିବାକୁ ନେଇ ପୁଣି ପୋଲିସ ମୁଖ୍ୟାଳୟ ଚିନ୍ତା କରନ୍ତୁ ବୋଲି ଅନେକ ପୋଲିସ ଅଫିସର ନିଜ ନାମ ଗୋପନ ରଖି କହିଛନ୍ତି।
ସେହିପରି କେନ୍ଦୁଝର ଜିଲାରେ ଥିବା ଇନ୍ସପେକ୍ଟର ମନୋଜ କୁମାର ରାଉତଙ୍କୁ ବାଲେଶ୍ୱରକୁ ଡିଏସ୍‌ପି ଇନ୍‌ଚାର୍ଜ ଭାବେ ବଦଳି କରାଯାଇଛି। ରାଉରକେଲା ବିସିଆର ସେଲରେ ଥିବା ଓପିଏସ୍‌ ରମାକାନ୍ତ ସାହୁଙ୍କୁ ଝାରସୁଗୁଡା ଏସ୍‌ଆରପିଓକୁ ବଦଳି କରାଯାଇଛି। ସେହିଭଳି ଯାଜପୁର ଜିଲା ମୁଖ୍ୟାଳୟରେ ଥିବା ଡିଏସ୍‌ପି ବିଜୟ କୁମାର ମଲ୍ଲିକଙ୍କୁ ଭୁବନେଶ୍ୱର ଏସ୍‌ଟିଏଫ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଛି। କନ୍ଧମାଳ ହେଡ୍‌କ୍ୱାର୍ଟର୍ସରେ ଥିବା ଡିଏସ୍‌ପି ଅଜୟ କୁମାର ମିଶ୍ରଙ୍କୁ ଗଞ୍ଜାମ ଡିଏସ୍‌ପି ଭାବେ ବଦଳି କରାଯାଇଛି। ମୟୁରଭଞ୍ଜ ଜିଲା ଆଇୟୁସିଏଡବ୍ଲ୍ୟୁରେ ଥିବା ଲଳିତ କୁମାର ପଟ୍ଟନାୟକଙ୍କୁ ବେତନଟିକୁ ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ରାଜଧାନୀରୁ କଟକ ଯାଇଥିବା ଏସିପି ଓ ଇନ୍ସପେକ୍ଟରଙ୍କୁ ଆଉ କିଛିଦିନ ପରେ ରାଜଧାନୀକୁ ବଦଳି କରାଯିବ ବୋଲି ଆଶଙ୍କା କରାଯାଉଛି। ଏପରିକି କେଉଁ ଅଫିସର କେଉଁ ଥାନାକୁ ଆସିବେ ସେନେଇ ସ୍ଥିର ହୋଇ ସାରିଥିବା କୁହାଯାଉଛି। କେବଳ ନୋଟିଫିକେଶନ୍‌ ବାହାରିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀରୁ ବିଦା ହୋଇଥିବା ଅଫିସରମାନଙ୍କୁ ପୁଣି ଏଠାକୁ ଆଣିବାର ରହସ୍ୟ କଣ ରହିଛି। ବର୍ତ୍ତମାନ ରାଜଧାନୀରେ ଥିବା ଅଫିସରଙ୍କ କଣ ଅପରାଧ ନିୟନ୍ତ୍ରଣ କରିବାର ଦକ୍ଷତା ନାହିଁ। ଯଦି ନାହିଁ ତେବେ ସେମାନଙ୍କୁ କ’ଣ ୪ମାସ ପାଇଁ ନିର୍ବାଚନ ପୂର୍ବରୁ ଭଡାରେ ରାଜଧାନୀକୁ ଅଣାଯାଇଥିଲା। ତାହାକୁ ନେଇ ଅନେକ ଲୋକେ ପ୍ରଶ୍ନ କରିଛନ୍ତି।

Share