ସଦର ରେଞ୍ଜ୍‌ରେ ବୁଲୁଛି ବାଘ

ଭାପୁର, ୨୦।୧୦(ଡି.ଏନ୍‌.ଏ.)

ଢେଙ୍କାନାଳ ସଦର ରେଞ୍ଜ ମାଟିଆମୁଣ୍ଡିଆ ପାହାଡ଼ ପାଦଦେଶରେ ଏକ କଲରାପତରିଆ ବାଘ ବୁଲୁଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ପାହାଡ଼ତଳି ଅଞ୍ଚଳର ଲୋକଙ୍କୁ ସତର୍କ ରଖିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ପ୍ରାୟ ସପ୍ତାହେ ହେବ ଉକ୍ତ ବାଘ ପାହାଡ଼ ଆଖପାଖ ଅଞ୍ଚଳରେ ଘୂରି ବୁଲୁଛି। କେତେବେଳେ ସଦର ରେଞ୍ଜ ତ ଆଉ କେତେବେଳେ ତିଗିରିଆ ବନାଞ୍ଚଳରେ ବାଘଟି ବିଚରଣ କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଡିଏଫ୍‌ଓଙ୍କଠାରୁ ସୂଚନା ପାଇ ବନପାଳ ପ୍ରଭାକର ରଣା ଘଟଣାର ସତ୍ୟାସତ୍ୟ ଜାଣିବାକୁ ଉକ୍ତ ଅଞ୍ଚଳ ପରିଦର୍ଶନ କରି ବାଘ ପଞ୍ଝା ଚିହ୍ନ ଠାବ କରିଥିଲେ। ଗତ ମାସରେ ତିଗିରିଆ ବନାଞ୍ଚଳରେ ଏକ କଲରାପତିରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ଏକାକୀ ବୁଲୁଥିବା ଏହି ବାଘ ସମ୍ଭବତଃ ତା’ର ସାଥୀ ବୋଲି ଅନୁମାନ କରାଯାଉଛି। ହେଲେ ଏହା ସ୍ପଷ୍ଟ ହୋଇନାହିଁ। ବାଘଟିର ସୁରକ୍ଷା ଲାଗି ଏହାର ଗତିବିଧି ଉପରେ ନଜର ରଖାଯାଇଥିବା ବନପାଳ କହିଛନ୍ତି। ପ୍ରଥମରୁ ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ରହିଥିବାବେଳେ ଏବେ ସେମାନଙ୍କୁ ଘାରିଛି ବାଘ ଭୟ। ଲୋକମାନେ ଭାପୁର-ଅଭିମାନପୁର ରାସ୍ତାରେ ଯାତାୟାତ କରିବାକୁ ସୁରକ୍ଷିତ ମଣୁନାହାନ୍ତି। ବନ ବିଭାଗ ପକ୍ଷରୁ ଅଞ୍ଚଳରେ କଡ଼ା ପାଟ୍ରୋଲିଂ କରିବାକୁ ଦାବି ହେଉଛି।

Share