ସଦସ୍ୟତା ଅଭିଯାନର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୂର୍ବାହ୍ନରେ ଦଳର ସଦସ୍ୟତା ସମ୍ପର୍କିତ ସମୀକ୍ଷା କରିଛନ୍ତି। ବୈଠକ ସମ୍ପର୍କରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ଯେ, ପ୍ରତିଦିନ ତୃଣମୂଳସ୍ତରୀୟ ଲୋକଙ୍କ ସହ ଆହୁରି ଜଡିତ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ। ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଥିବା ଉମା କହିଛନ୍ତି। ସଦସ୍ୟତା ଅଭିଯାନରେ ଯୁବବର୍ଗ, ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ ଗୁରୁତ୍ୱ ଦିଆଯିବା ନେଇ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସଦସ୍ୟତା ଅଭିଯାନର ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ବିଜେଡି ସଭାପତି ପଚାରି ବୁଝିଥିଲେ। ନବୀନ ନିବାସରେ ହୋଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ ଦେବାଶିଷ ସାମନ୍ତରାୟ, ପୁରୀ ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ , ସମୀରରଞ୍ଜନ ଦାଶ ଏବଂ ତୁଷାରକାନ୍ତି ବେହେରା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ମଲ୍ଲିକ ଏବଂ ପ୍ରଦୀପ ମହାରଥୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Share