ହାଟଡିହୀ,୧୫ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ୩୧ଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶରେ ଆଜକୁ ୯ବର୍ଷରୁ ଊର୍ଦ୍ଧ୍ୱ ହେବ କିଛି ସଧବା ମିଛ ପ୍ରମାଣପତ୍ର ଦର୍ଶାଇ ବିଧବା ଭତ୍ତା ନେଉଥିବାବେଳେ କେତେକ ଯୁବକ ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଅଭିଯୋଗ ହେଉଛି। ହାବଳେଶ୍ୱର, ସୁଲଣ ପରି ପଞ୍ଚାୟତ ଏହାର ଉଦାହରଣ ସାଜିଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରନ୍ତା। ଏ ସମ୍ବନ୍ଧରେ ଉକ୍ତ ପଞ୍ଚାୟତ ସହ ଅନ୍ୟାନ୍ୟ ପଞ୍ଚାୟତର ପିଇଓ ଓ ସରପଞ୍ଚଙ୍କ ମତନେବାରୁ ଜଣାପଡ଼େ ଯେ, ଏନେଇ ସେମାନଙ୍କୁ ପୂର୍ବରୁ ଅବଗତ ନ ଥିଲେ କି ଏବେ ନାହାନ୍ତି। ପୂର୍ବରୁ କାର୍ଯ୍ୟଭାର ତୁଲାଉଥିବା ସରପଞ୍ଚ କିମ୍ବା ପିଇଓ ଏ ସମ୍ବନ୍ଧରେ ବେଶ୍ ଭଲ ଭାବେ ଅବଗତ କରାଇ ପାରିବେ ବୋଲି ପାଲଟା ଉତ୍ତର ଦେଇଥିଲେ। ଗରିବ, ବିଧବା, ବୃଦ୍ଧାବୃଦ୍ଧ ଓ ଭିନ୍ନକ୍ଷମ ଶ୍ରେଣୀର ଯୋଗ୍ୟ ବିବେଚିତ ହିତାଧିକାରୀ ବାଦ୍ ପଡ଼ିଯାଉଥିବାବେଳେ ଅଯୋଗ୍ୟ ହିତାଧିକାରୀ କାହା ମାଧ୍ୟମରେ ଏହି ଭତ୍ତା ଯୋଜନାରେ ସାମିଲ ହୋଇପାରିଛନ୍ତି ତାହା ପ୍ରଶାସନର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଲକ ପ୍ରଶାସନର ମତ ନେବାରୁ ଜଣାପଡ଼େ ଯେ, ଏହିଭଳି ଅଭିଯୋଗ ଏବେ ସୁଦ୍ଧା ଆସିନାହିଁ । ଆସିଲେ ତଦନ୍ତ କରାଯିବ। ସରକାରଙ୍କ ବହୁମୁଖୀ ଯୋଜନାରୁ ଏହିଭଳି ପ୍ରକ୍ରିୟା ମାଧ୍ୟମରେ ପ୍ରକୃତ ହିତାଧିକାରୀ ହୋଇ ନ ଥିବା ସତ୍ତ୍ୱେ ଲୁଟ୍ କରିଥିବା ଅର୍ଥରାଶିକୁ ଫେରାଇ ନେବା ସହ ସେମାନଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।