ସନି@୬୩: ଆଜି ବି ଦର୍ଶକଙ୍କ ପାଇଁ ଅଭୁଲା ତାଙ୍କ ଡାଏଲଗ୍‌

ନିଜର ଆକ୍ସନ୍‌ ଅନ୍ଦାଜ, ଡାଏଲଗ୍‌ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିବା ଅନ୍ୟତମ ବଲିଉଡ୍‌ ଅଭିନେତା ହେଉଛନ୍ତି ସନି ଦେଓଲ। ଅକ୍ଟୋବର ୧୯ରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତାଙ୍କର ଆଜି ହେଉଛି ୬୩ତମ ଜନ୍ମଦିନ। ଆକ୍ସନ୍‌ ଏବଂ ରୋମାଣ୍ଟିକ୍‌ ଚରିତ୍ର ପାଇଁ ବେଶ୍‌ ପରିଚିତ ସନିଙ୍କ ଅନ୍ଦାଜ୍‌ କିନ୍ତୁ ସବୁଠାରୁ ଭିନ୍ନ। ‘ଜବ୍‌ ୟେ ଢାଇ କିଲୋ କା ହାତ୍‌ ଉଠ୍‌ତା ହୈ ତୋ ଫିର୍‌ କୋଇ ଔର ଉଠ୍‌ତା ନହିଁ, ଉଠ୍‌ଜାତା ହୈ’। ଫିଲ୍ମ ‘ଦାମିନୀ’ରେ ସନିଙ୍କ ଏହି ଲୋକପ୍ରିୟ ଡାଏଲଗକୁ ଲୋକେ ଆଜି ବି ମନେ ରଖିଛନ୍ତି।
ବହୁଲୋକ ଜାଣିଥିବେ ସନିଙ୍କ ପ୍ରକୃତ ନାମ ଅଜୟ ସିଂହ ଦେଓଲ। ମାତ୍ର ପରିବାର ଲୋକେ ତାଙ୍କୁ ସ୍ନେହରେ ସନି ଡାକିଥାନ୍ତି। ପରେ ସେ ସିନେମାରେ ସନି ନାମରେ ପରିଚିତ ହୋଇଥିଲେ। ୧୯୯୫ରେ ‘ଅଜୟ’ ନାମକ ଏକ ସିନେମାରେ ମଧ୍ୟ କାମ କରିଛନ୍ତି। ଇଂଲଣ୍ଡର ବର୍ମିଂହାମସ୍ଥିତ ‘ଦି ଓଲ୍ଡ ଓ୍ବାଲର୍‌ଡ ଥିଏଟର’ରୁ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ। ଫିଲ୍ମ ବ୍ୟତିରେକ ସନି ଜଣେ ସଫଳ ବ୍ୟବସାୟୀ ମଧ୍ୟ। ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ସହ ପ୍ରେମସମ୍ପର୍କକୁ ନେଇ ଏକଦା ଚର୍ଚ୍ଚାରେ ଥିବା ସନି ସବୁବେଳେ ନିଜ ପରିବାର ଏବଂ ବ୍ୟକ୍ତିଗତ ଜୀବନକୁ ମିଡିଆଠାରୁ ଦୂରେଇ ରଖିଥାନ୍ତି। ସ୍ତ୍ରୀ ପୂଜା କେବେହେଲେ ମିଡିଆ ସମ୍ମୁଖକୁ ଆସି ନ ଥାନ୍ତି। ସନିଙ୍କ ଫିଲ୍ମ ବିଶେଷକରି ପଞ୍ଜାବରେ ଭଲ ଚାଲିଥାଏ।
ସନି ଦୁଇଥର ଜାତୀୟ ପୁରସ୍କାର ପାଇଛନ୍ତି। ୧୯୯୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଘାୟଲ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ଏବଂ ୧୯୯୩ରେ ‘ଦାମିନୀ’ ପାଇଁ ସର୍ବଶ୍ରେଷ୍ଠ ସହ ଅଭିନେତା ରୂପେ ସମ୍ମାନିତ ହୋଇଥିଲେ।

Share