Categories: ଖେଳ

ସନ୍ତରଣରେ ଚମକିଲେ ଯମଜ ଭଗିନୀ

ଭୁବନେଶ୍ୱର, ୨୫।୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦ୍‌ଘାଟନୀ ସଂସ୍କରଣ ଟୁଇନ୍‌ ସିଟିରେ ଚାଲିଥିବାବେଳେ ସନ୍ତରଣ ଇଭେଣ୍ଟର ପ୍ରଥମ ଦିବସରେ ଯମଜ ଭଗିନୀ ଜ୍ୟୋତି ଓ ଆରତି ପଟେଲଙ୍କ ଚମକ ଦେଖିବାକୁ ମିଳିଛି। ମୁମ୍ବାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜ୍ୟୋତି ଓ ଆରତି ସନ୍ତରଣର ପ୍ରଥମ ଦିନରେ ୪ ପଦକ ଜିତିଛନ୍ତି। ଫଳରେ ଏହି ଦୁଇ ଯମଜ ଭଉଣୀ ବର୍ତ୍ତମାନ ଖବରର ଶିରୋନାମାରେ ରହିଛନ୍ତି। ୨୦୦ ମିଟର ବ୍ରେଷ୍ଟ-ଷ୍ଟୋକ୍ସ ଇଭେଣ୍ଟରେ ଜ୍ୟୋତି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଆରତି ବ୍ରୋଞ୍ଜରେ ସନ୍ତୁଷ୍ଟ ରହିଥିଲେ। ସେହିଭଳି ୪ ଗୁଣା ୨୦୦ ମିଟର ଫ୍ରିଷ୍ଟାଇଲ ରିଲେରେ ମଧ୍ୟ ମୁମ୍ବାଇ ବିଶ୍ୱବିଦ୍ୟାଳୟକୁ ବ୍ରୋଞ୍ଜ ପଦକ ଜିତାଇବାରେ ଉଭୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଗକୁ ମଧ୍ୟ ଉଭୟ ଆହୁରି ପଦକ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି। ଏଥିପୂର୍ବରୁ ପୁନେରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଗେମ୍ସର ୨ୟ ସଂସ୍କରଣରେ ଉଭୟ ୨୦୦ ଓ ୧୦୦ ମିଟର ବ୍ରେଷ୍ଟ-ଷ୍ଟୋକ୍ସ ଇଭେଣ୍ଟରେ ଜ୍ୟୋତି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ସଫଳତା ପାଇଥିଲେ। ଜ୍ୟୋତି ଓ ଆରତିଙ୍କ ବାପା ବାଜିରାଓ ପଟେଲ ଉଭୟଙ୍କୁ ନେଇ ଅଲିମ୍ପିକ ସ୍ବପ୍ନ ଦେଖିଥିବାବେଳେ ଏହା ଏବେ ବେଶି ଦୂର ନୁହେଁ ବୋଲି ଆଲୋଚନା ହେଉଛି। ପୂର୍ବରୁ ୪ ବର୍ଷ ବୟସରେ ଉଭୟ ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆରୁ ଆଲିବଗ୍‌ ପର୍ଯ୍ୟନ୍ତ ସନ୍ତରଣ କରି ଏହି ବୟସ ବର୍ଗରେ ଦ୍ରୁତତମ ସନ୍ତରଣକାରୀ ବିବେଚିତ ହୋଇଥିଲେ।

Share