Categories: ଖେଳ

ସନ୍ଦୀପଙ୍କୁ ୭ ଉଇକେଟ୍‌: ପଞ୍ଜାବ ବିଜୟୀ

ଭଦୋଦରା, ୭।୧୦ (ପି.ଟି.)- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ଏକଦିବସୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ଯୁବ ଦ୍ରୁତ ବୋଲର ସନ୍ଦୀପ ଶର୍ମା କ୍ୟାରିୟର ଶ୍ରେଷ୍ଠ ୭ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସନ୍ଦୀପଙ୍କ ଏହି ମାରାତ୍ମକ ବୋଲିଂ ଯୋଗୁ ପଞ୍ଜାବ ୩ ଉଇକେଟ୍‌ରେ ହରିୟାଣାକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏଲିଟ୍‌ ଗ୍ରୁପ୍‌-ବି’ର ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହରିୟାଣା ୧୬.୧ ଓଭରରେ ମାତ୍ର ୪୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନ ଥିଲେ। ସନ୍ଦୀପ ୮ ଓଭରରେ ୨ ମେଡେନ ସହ ୧୯ ରନ ବ୍ୟୟ କରି ୭ଟି ଉଇକେଟ୍‌ ନେଇଥିଲେ। ଅନ୍ୟତମ ଦ୍ରୁତ ବୋଲର ସିଦ୍ଦାର୍ଥ କାଉଲଙ୍କୁ ବଳକା ୩ ଉଇକେଟ୍‌ ହାସଲ କରିଥିଲେ। ଜବାବରେ ୫୦ ରନର ଛୋଟିଆ ଟାର୍ଗେଟ୍‌କୁ ପିଛା କରି ପଞ୍ଜାବ ଅନୁରୂପ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୫.୧ ଓଭରରେ ୭ ଉଇକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିଥିଲା।

Share