Categories: ଖେଳ

ସନ୍ଦେହରେ ଆଇପିଏଲ୍‌ରେ କିଣାଯାଇଥିବା ପେସର ଦିଗବିଜୟଙ୍କ ବୋଲିଂ ଷ୍ଟାଇଲ

ପୁଣେ,୨୫।୧୨- ମହାରାଷ୍ଟ୍ର ପେସର ଦିଗବିଜୟ ଦେଶମୁଖ ଗତ ସପ୍ତାହରେ ଜମ୍ମୁ-କଶ୍ମୀର ବିପକ୍ଷ ରଣ୍‌ଜୀ ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ତାଙ୍କୁ ଆଇପିଏଲରେ ନିଲାମ ପ୍ରକ୍ରିୟାରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଦଳ ୨୦ ଲକ୍ଷ ଟଙ୍କାର ବେସ୍‌ପ୍ରାଇସରେ କିଣିଛି। ଏବେ ଦେଶମୁଖଙ୍କ ବୋଲିଂ ଷ୍ଟାଇଲ ସନ୍ଦେହଜନକ ଥିବା ରିପୋର୍ଟ ହୋଇଛି। ୨୧ ବର୍ଷୀୟ ଅଲରାଉଣ୍ଡର ପଦାର୍ପଣ ମ୍ୟାଚ୍‌ରେ ମୋଟ ୬ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ୨ ଓ ଦ୍ୱିତୀୟରେ ୪ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏଥିସହ ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ୭୧ ବଲରୁ ୮୩ ରନ୍‌ କରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ କଦାପି ବହୁ ଦିନିଆ ମ୍ୟାଚ୍‌ ଖେଳି ନ ଥିଲେ ଦେଶମୁଖ। ଗତ ସିଜନରେ ସେ ୨୩ ବର୍ଷରୁ କମ୍‌ ସୀମିତ ଓଭର କ୍ରିକେଟରେ ପଦାର୍ପଣ କରିଥିଲେ। ଚଳିତ ଥର ମହାରାଷ୍ଟ୍ର ପାଇଁ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ଖେଳିଛନ୍ତି। ପ୍ରଥମ ଥର ପାଇଁ ତାଙ୍କ ବୋଲିଂ ଷ୍ଟାଇଲ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏମ୍‌ସିଏ ସମ୍ପାଦକ ରିୟାଜ ବଗଓ୍ବାନ କହିଛନ୍ତି, ଗତ ମ୍ୟାଚ୍‌ରେ ତାଙ୍କ ବୋଲିଂ ଉପରେ ସନ୍ଦେହ ରିପୋର୍ଟ କରାଯାଇଛି। ମ୍ୟାଚ୍‌ ଅଫିସିଆଲ କେବେ, କେଉଁ ଓଭରବେଳେ, ସମୟ କେତେ ହୋଇଥିଲା ସମ୍ପୂର୍ଣ୍ଣ ତଥ୍ୟ ଦେଇ ପତ୍ର ପଠାଇଛନ୍ତି। ମୁଁ ଏହାକୁ ଦଳୀୟ କୋଚ ଓ ମ୍ୟାନେଜରଙ୍କୁ ଦେଇଛି। ତାଙ୍କୁ ଏବେ ବୋଲିଂରୁ ବାସନ୍ଦ କରାଯାଇ ନାହିଁ। କିନ୍ତୁ ଆମେ କୌଣସି ରିସ୍କ ନେବୁ ନାହିଁ। ତାଙ୍କୁ ଛତିଶଗଡ଼ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଛି। ସେ ଏବେ ଚେନ୍ନାଇସ୍ଥିତ ଏମ୍‌ଆରଏଫ୍‌ ପେସ ଫାଉଣ୍ଡେଶନ ଯାଇ ସେଠାରେ ତାଙ୍କ ବୋଲିଂ ଷ୍ଟାଇଲକୁ ଯାଞ୍ଚ କରାଇବେ।

Share