Categories: ଖେଳ

ସନ୍ଦେହରେ ଦନଞ୍ଜୟ, ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନ

ଦୁବାଇ, ୨୦।୮ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଶ୍ରୀଲଙ୍କା ଅଫ୍‌-ସ୍ପିନର ଅକିଲ ଦନଞ୍ଜୟଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରକୁ ଆସିଛି। ଗାଲେଠାରେ ଘରୋଇ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଅବସରରେ ସନ୍ଦେହଜନକ ବୋଲିଂ ଆକ୍ସନ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଉଭୟ ଓ୍ବିଲିୟମସନ ଓ ଦନଞ୍ଜୟଙ୍କୁ ରିପୋର୍ଟ କରିଛି। ଆଇସିସି ପକ୍ଷରୁ ମଙ୍ଗଳବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ‘ମ୍ୟାଚ୍‌ ଅଫିସିଆଲ ଉଭୟ ଦଳର ମ୍ୟାନେଜମେଣ୍ଟକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଯେଉଁଥିରେ ଉଭୟ ଦନଞ୍ଜୟ ଓ ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନର ବୈଧତା ନେଇ ପ୍ରଶ୍ନ ଉଠାଯାଇଛି’ ବୋଲି ଆଇସିସି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଫଳରେ ଆଗାମୀ ୧୪ ଦିନ ମଧ୍ୟରେ ଦନଞ୍ଜୟ ଓ ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନର ପରୀକ୍ଷା କରାଯିବ। ଏହି ପରୀକ୍ଷାର ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ଆଇସିସି ନିୟମ ଅନୁଯାୟୀ ଉଭୟ ବୋଲର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ ଜାରି ରଖିବେ।
ଅଫ୍‌-ସ୍ପିନ ବୋଲିଂ କରୁଥିବା ୨୯ ବର୍ଷୀୟ ଓ୍ବିଲିୟମସନ ଏହି ଟେଷ୍ଟ ମ୍ୟାଚ୍‌ର ଅନ୍ତିମ ଦିବସରେ ୩ ଓଭର ବୋଲିଂ କରିଥିଲେ। ୭୩ ଟେଷ୍ଟ ମ୍ୟାଚ୍‌ ଖେଳି ଓ୍ବିଲିୟମସନ ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଅପରପକ୍ଷରେ ୨୫ ବର୍ଷୀୟ ଦନଞ୍ଜୟ ଏହି ମ୍ୟାଚ୍‌ରେ ୬ ଉଇକେଟ୍‌ ଅକ୍ତିଆର କରି ଶ୍ରୀଲଙ୍କାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପୂର୍ବରୁ ୨୦୧୮ ନଭେମ୍ବରରେ ଅବୈଧ ବୋଲିଂ ଆକ୍ସନ ଲାଗି ଆଇସିସି ଦନଞ୍ଜୟଙ୍କୁ ବୋଲିଂରୁ ବାସନ୍ଦ କରିଥିଲା। ଏହାପରେ ଚଳିତ ବର୍ଷ ପ୍ରାରମ୍ଭରେ ସେ ତାଙ୍କ ବୋଲିଂରେ ସୁଧାର ଆଣିଥିଲେ ଏବଂ ଆଇସିସି ତାଙ୍କୁ ସବୁଜ ସଙ୍କେତ ପ୍ରଦାନ କରିଥିଲା।

Share