Categories: ଖେଳ

ସନ୍ଦେହରେ ବ୍ରାଥଓ୍ବେଟଙ୍କ ବୋଲିଂ ଆକ୍ସନ

ଦୁବାଇ,୮।୯(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର କ୍ରେଗ୍‌ ବ୍ରାଥ୍‌ଓ୍ବେଟଙ୍କ ବୋଲିଂ ଆକ୍ସନ ନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି। ଭାରତ ବିପକ୍ଷ ଗତ ଦ୍ୱିତୀୟ ଘରୋଇ ଟେଷ୍ଟ ମ୍ୟାଚ୍‌ରେ ତାଙ୍କ ବୋଲିଂ ଆକ୍ସନ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତରଫରୁ କୁହାଯାଇଛି। ଏ ନେଇ ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜ ମ୍ୟାନେଜମେଣ୍ଟକୁ ମ୍ୟାଚ୍‌ ଅଫିସିଆଲଙ୍କ ରିପୋର୍ଟ ପ୍ରଦାନ କରାଯାଇଛି। ୨୬ ବର୍ଷୀୟ ବ୍ରାଥଓ୍ବେଟଙ୍କ ବୋଲିଂ ଶୈଳୀ ତ୍ରୁଟିପୂର୍ଣ୍ଣ ଥିବା କଥା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଦଳର ଜଣେ ସ୍ପେଶାଲିଷ୍ଟ ଓପନର ଭାବେ ବ୍ରାଥଓ୍ବେଟ ବ୍ୟାଟିଂ କରୁଥିଲେ ମଧ୍ୟ ପାର୍ଟ ଟାଇମ୍‌ ଅଫ୍‌ ସ୍ପିନ୍‌ ବୋଲିଂ କରିଥାନ୍ତି। ପୂର୍ବରୁ ୨୦୧୭ରେ ଇଂଲଣ୍ଡ ବିପକ୍ଷ ବର୍ମିଂହାମ୍‌ ଟେଷ୍ଟରେ ତାଙ୍କ ବୋଲିଂ ଆକ୍ସନକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ଏ ନେଇ ସ୍ବାଧୀନ ଭାବେ ମୁଲ୍ୟାଙ୍କନ ହେବା ପରେ ତାଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଥିଲା। ତେବେ ପୁଣିଥରେ ଏଭଳି ଅଭିଯୋଗ ଆସିବାରୁ ସେପ୍ଟେମ୍ବର ୧୪ରେ ସେ ଆଉ ଏକ ପରୀକ୍ଷାର ସମ୍ମୁଖୀନ ହେବେ। ଏହି ପରୀକ୍ଷାର ଫଳ ଜଣା ନ ପଡ଼ିବା ପର୍ଯ୍ୟନ୍ତ ସେ ବୋଲିଂ ଜାରି ରଖିବେ ବୋଲି ଆଇସିସି ତରଫରୁ ସ୍ପଷ୍ଟ କରାଯାଇଛି।

Share