‘ଯଥା ଦେହେ ତଥା ଦେବେ’ କର୍ମକାଣ୍ଡ ବିଜ୍ଞାନର ଏହି ରହସ୍ୟକୁ ଆଧାର କରି ମହାପ୍ରଭୁଙ୍କ ଉପାସନା ପ୍ରଚଳିତ। ଏହା ମଧ୍ୟ ଆମ ସନାତନ ପରମ୍ପରା ସ୍ବୀକୃତ। ଓଡ଼ିଆ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ। ଲୋକ ଜୀବନରେ ଉଷୁନା ପଖାଳ ଓ ଅରୁଆ ପଖାଳ ପାଞ୍ଚଟି ନାମ ଧାରଣ କରିଛି। ମହାପ୍ରଭୁଙ୍କ ଉପାସନାରେ କେବଳ ଅରୁଆ ପଖାଳ ପ୍ରଚଳନ ବ୍ୟବସ୍ଥା ରହିଛି। ଆଠକାଳି ବାରମାସୀ ପଖାଳ ପରମ୍ପରା ପ୍ରଚଳିତ ଥିବା ବେଳେ ମହାପ୍ରଭୁଙ୍କ ଉପାସନାରେ ମଧ୍ୟ ବାରମାସ ଏହି ପରମ୍ପରା ଦେଖାଯାଏ। ସାଧାରଣ ଲୋକଟିଏ ଯେପରି ପଖାଳପ୍ରିୟ, ମହାପ୍ରଭୁ ମଧ୍ୟ ପଖାଳପ୍ରିୟ। ସାଧାରଣ ଜୀବନରେ ଆବଶ୍ୟକତା ଅନୁଯାୟୀ ମଣିଷଟିଏ ଦିନରେ ଏବଂ ରାତିରେ ପଖାଳ ଗ୍ରହଣ କରୁଥିବା ବେଳେ ମହାପ୍ରଭୂ କେବଳ ସନ୍ଧ୍ୟାଧୂପରେ ପଖାଳଭୋଗ ଗ୍ରହଣ କରନ୍ତି। ପ୍ରକାର ଭେଦରେ ଏଗୁଡିକ ବିଭିନ୍ନ ପ୍ରକାରର ରହିଥାଏ। ଅଦା ପକାଯାଇ ଚୁପୁଡା ପଖାଳ, ଟଭାରେ ଟଭା ପଖାଳ, ଜିରା, ଅଦା ଓ ମସଲା ଦ୍ୱାରା ପ୍ରସ୍ତୁତ ସୁବାସିତ ପଖାଳ ଏବଂ ଦହିରେ ହୋଇଥାଏ ଦହି ପଖାଳ। ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟକୁ ଛାଡିଦେଲେ ବାକି ବର୍ଷର ସମସ୍ତ ଦିବସ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାଆନ୍ତି।