Categories: ଜାତୀୟ

ସନ୍ଧ୍ୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ!

ଭୋପାଳ,୨୩।୩: କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଏପଟେ ମଧ୍ୟପ୍ରଦେଶ ରାଜନୀତି ହୋଇଛି ସରଗରମ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଦଳ ବୈଠକରେ ଶିବରାଜ ସିଂ ଚୌହାନଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇପାରେ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏହି ବୈଠକ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ ବୋଲି କୁହାଯାଉଛି। ସୋମବାର ସନ୍ଧ୍ୟାରେ ଚତୁର୍ଥ ଥର ଲାଗି ଶିବରାଜ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କୁହାଯାଉଛି। ଏଥିପାଇଁ ରାଜ ଭବନ ଭିତରେ ପ୍ରସ୍ତୁତି ଚାଲିଥିବା ବେଳେ ଶିବରାଜଙ୍କ ମିନି କ୍ୟାବିନେଟ ମଧ୍ୟ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ଖୁବ୍‌ କମ୍‌ ଲୋକ ଉପସ୍ଥିତ ରହିବେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ମଧ୍ୟପ୍ରଦେଶର ଆଉ ୨୨ କଂଗ୍ରେସ ବିଧାୟକ ଦଳ ଛାଡି ଦେଇଥିଲେ। ଫଳରେ ମଧ୍ୟପ୍ରଦେଶରେ କଂଗ୍ରେସ ଶାସିତ କମଲନାଥଙ୍କ ସରକାର ଭାଙ୍ଗି ଯାଇଥିଲା।

Share