ସନ୍ଧ୍ୟା ହେଲେ ମାତୁଛନ୍ତି ହାତୀ, ଘଉଡ଼ାଇବାରେ ବିଫଳ ବନ ବିଭାଗ

ଚୌଦ୍ୱାର, ୨୯ା୧୨(ଡି.ଏନ୍‌.ଏ.): ମଙ୍ଗଳପୁର କାଜୁ ଜଙ୍ଗଲରେ ରହିଥିବା ହାତୀ ପଲ ସନ୍ଧ୍ୟା ହେଲେ ଚୌଦ୍ୱାର ପୌରପାଳିକା ଓ ଏହାର ଆଖପାଖ ଗ୍ରାମାଞ୍ଚଳ ମୁହାଁଉଛନ୍ତି। ବ୍ୟାପକ ଫସଲ ନଷ୍ଟକରୁଥିବା ବେଳେ ଲୋକମାନେ ଭୟରେ ରହୁଛନ୍ତି। ହାତୀ ଘଉଡ଼ାଇ ଧନ ଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ନେବା ବଦଳରେ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି। ସୂଚନା ଅନୁଯାୟୀ, ଗତ ବୁଧବାର ୨ଟି ହାତୀ ଚୌଦ୍ୱାର ସହରରେ ପଶିଥିବା ବେଳେ ଶୁକ୍ରବାର ରାତିରେ ଆଗ୍ରାହାଟ ଗ୍ରାମରେ ବଣୁଆ ହାତୀଙ୍କ ଏକ ପଲ ପଶିଯାଇଥିଲା। ବିଦ୍ୟୁତ୍‌ ସଂଯୋଗ କଟାଯିବା ପରେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମରେ ହାତୀ ପଲଙ୍କୁ ଘଉଡ଼େଇବାର ସଫଳ ହୋଇଥିଲେ। ହାତୀଗୁଡ଼ିକ ଗ୍ରାମରେ ପଶିବା ସହିତ ଧାନ ଫସଲ ନଷ୍ଟ ଦେଇଛନ୍ତି। ହାତୀ ପଲ ଏବେ ମଙ୍ଗଳପୁର କାଜୁ ଜଙ୍ଗଲରେ ରହିବା ସହିତ ରାତି ହେଲେ ଗ୍ରାମ ମୁହାଁ ହେଉଥିବାରୁ ଶଙ୍କରପୁର, ମଙ୍ଗଳପୁର, ଆଗ୍ରାହାଟ, ଜେମାଦେଈପୁର, ବରହମପୁର, ବାଣୀପଦା, ବନ୍ଦାଳ, ବାଲିଚତୁରୀ ଚାଙ୍ଗୁଡ଼ିଆ ଗ୍ରାମର ଲୋକେ ଭୟରେ ରାତ୍ରିଯାପନ କରୁଛନ୍ତି। ଏହି ଅଞ୍ଚଳରେ ୧୮ରୁ ଅଧକ ହାତୀ ଆତଙ୍କ ସୃଷ୍ଟି କରୁଥିବା ବେଳେ ହାତୀପଲକୁ ଘଉଡ଼େଇବାରେ ସ୍ଥାନୀୟ ବନ ବିଭାଗ ବିଫଳ ହୋଇଛ। ହାତୀଙ୍କ ଉପରେ ନଜର ରଖାଯାଇଛି ବୋଲି ବନପାଳ ବାରମ୍ବାର ସଫେଇ ଦେଉଛନ୍ତି। ଅନ୍ୟପକ୍ଷରେ ହାତୀପଲଙ୍କୁ ଜଙ୍ଗଲାଭିମୁଖୀ କରିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ବନପାଳ ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି ।

Share