ସନ୍ଧ୍ୟା ୬ଟା ପରେ ଭୋଜନ: ବଢ଼ାଏ ଟାଇପ୍‌-୨ ଡାଇବେଟିସ୍‌ ଆଶଙ୍କା

ଲଣ୍ଡନ: ସନ୍ଧ୍ୟା ୬ ପରେ ଭୋଜନ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହା ହାର୍ଟର ସ୍ବାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ ଟାଇପ୍‌-୨ ଡାଇବେଟିସ୍‌ ଆଶଙ୍କା ବୃଦ୍ଧି କରିଥାଏ। କାଲିଫର୍ନିଆର ସାକ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଏସମ୍ପର୍କରେ ପ୍ରକାଶ ପାଇଛି। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଦିନବେଳେ ସୂର୍ଯ୍ୟ ଥିବାରୁ ଶରୀରରେ ମେଟୋବୋଲିକ୍‌ କ୍ରିୟା ସ୍ବାଭାବିକ ଭାବେ କାର୍ଯ୍ୟ କରିଥାଏ। ତେବେ ରାତିରେ ସୂର୍ଯ୍ୟ ନ ଥିବାରୁ ପାଚନ କ୍ରିୟା ଧିମା ହୋଇଥାଏ। ତେଣୁ ସନ୍ଧ୍ୟା ପରେ ଖାଦ୍ୟ ଖାଇଲେ ଏହା ଭଲ ଭାବେ ହଜମ ନହୋଇ ଗ୍ୟାସ୍‌ ସୃଷ୍ଟି କରିଥାଏ। ଏହାଯୋଗୁ ହାର୍ଟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ସେହିପରି ଖାଦ୍ୟ ହଜମ ନ ହେବା ଯୋଗୁ ଇନ୍‌ସୁଲିନ୍‌ର ସ୍ବାଭାବିକ କ୍ଷରଣ ପ୍ରକ୍ରିୟା ପ୍ରଭାବିତ ହୋଇ ଟାଇପ୍‌-୨ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ଗବେଷକ ମୂଷା ଉପରେ ପ୍ରୟୋଗ କରି ଏହା ଜାଣି ପାରିଛନ୍ତି।