Categories: ଜାତୀୟ

ସପ୍ତମ ଶ୍ରେଣୀର ଛାତ୍ରଙ୍କ ଜ୍ଞାନ: ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଞ୍ଚି,୭।୨: ଦେଶର ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଉଜୁଡିବାରେ ଲାଗିଛି। ଦିନକୁ ଦିନ ଶିକ୍ଷାର ସ୍ତର ତଳକୁ ଖସୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାଡଖଣ୍ଡ ରାମଗଡରେ। ସୋରେନ ସରକାରରେ ଥିବା ଶିକ୍ଷାମନ୍ତ୍ରୀ ହଠାତ୍‌ ଏକ ସରକାରୀ ସ୍କୁଲକୁ ଗସ୍ତ କରିଥିଲେ ଏବଂ ସେଠାକାର କିଛି ଛାତ୍ରୀଛାତ୍ରଙ୍କୁ କିଛି ପ୍ରଶ୍ନ କରିଥିଲେ। ସେତେବେଳେ ସେମାନଙ୍କର ପ୍ରଶ୍ନ ଶୁଣି ଶିକ୍ଷାମନ୍ତ୍ରୀଙ୍କ ହୋସ୍‌ ଉଡିଯାଇଥିଲା। ସୂଚନାଯୋଗ୍ୟ, ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ ଗୁରୁବାର ରାମଗଡର କୋଇୟା ଗାରେ ଥିବା ଏକ ସରକାରୀ ସ୍କୁଲକୁ ଗସ୍ତ କରିଥିଲେ। ସେଠାରେ ସେ ସ୍କୁଲରେ ଶିକ୍ଷାର ମାନ, ପିଲାଙ୍କ ବ୍ୟବସ୍ଥା ଆଦି ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ସେତିକି ବେଳେ ଜଗରନାଥ ସପ୍ତମ ଶ୍ରେଣୀର ପିଲାଙ୍କୁ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କ ନାଁ ପଚାରିଥିଲେ। ସେହି ସମୟରେ ପିଲାମାନେ ହେମନ୍ତ ସୋରେନ ବୋଲି ତାଙ୍କୁ ଉତ୍ତର ଦେଇଥିଲେ। ଏହା ଶୁଣିବା ପରେ ପୁଣି ଥରେ ସେ ପିଲାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ପଚାରିଥିଲେ। ଆଉ ଏହାର ଉତ୍ତରରେ ପିଲାମାନେ ଅମିତ ଶାହା ବୋଲି କହିଥିଲେ। ପିଲାଙ୍କଠାରୁ ଏଭଳି ଉତ୍ତର ଶୁଣିବା ପରେ ଶିକ୍ଷା ମନ୍ତ୍ରୀ ନିରାଶ ହୋଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ଖରାପ ଶିକ୍ଷାବ୍ୟବସ୍ଥାକୁ ନେଇ ସ୍କୁଲ ପ୍ରଶାସନ ଉପରେ ଏକ ତଦନ୍ତ କରାଯାଇଥିଲା। ଏହି ଘଟଣାର ଯାଞ୍ଚ କରାଯାଇ ଖୁବ୍‌ଶୀଘ୍ର ପ୍ରଶାସନକୁ ରିପୋର୍ଟ ଦିଆଯିବ ବୋଲି ଡେପୁଟି କମିଶନର କହିଛନ୍ତି।

Share