Categories: ବାଣିଜ୍ୟ

ସପ୍ତାହକ ଭିତରେ ଜେଟ୍‌ର ସ୍ଥିତି ସ୍ପଷ୍ଟ ହେବ: ଏସ୍‌ବିଆଇ ମୁଖ୍ୟ

ନୂଆଦିଲ୍ଲୀ,୨୦-୫: ଆର୍ଥିକ ସଙ୍କଟ କାରଣରୁ ଅସ୍ଥାୟୀଭାବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଜେଟ୍‌ ପୁଣିଥରେ କାର୍ଯ୍ୟକ୍ଷମ ହେବା ନେଇ ଏବେ ସୁଦ୍ଧା ସ୍ଥିତି ସ୍ପଷ୍ଟ ନୁହେଁ। ତେବେ ଆସନ୍ତା ଏକ ସପ୍ତାହ ଭିତରେ ଜେଟ୍‌ର ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି। ସେ କହିଛନ୍ତି ଯେ, ଜେଟ୍‌କୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ପ୍ରକାର ବିକଳ୍ପର ମୂଲ୍ୟାଙ୍କନ କରାଯାଉଛି। ଏହାଛଡ଼ା ଆଇନଗତ ପରାମର୍ଶ ମଧ୍ୟ ନିଆଯାଉଛି। ଜେଟ୍‌ ନିକଟରେ ଅର୍ଥ ପହଞ୍ଚତ୍ବ କି ନା ସେସମ୍ପର୍କରେ ଜାଣିବାକୁ ଉଦ୍ୟମ ହେଉଛି। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜ ଠାରୁ ବକେୟା ଋଣ ବାବଦରେ ୮୪୦୦ କୋଟି ଟଙ୍କା ଅସୁଲ ଲାଗି ଏସ୍‌ବିଆଇ ନେତୃତ୍ୱରେ ବ୍ୟାଙ୍କ କନସୋର୍ଟିୟମ କମ୍ପାନୀର ନିୟନ୍ତ୍ରଣ ନିଜ ହାତକୁ ନେଇଛି। ସେମାନେ ଜେଟ୍‌ର ବୃହତ ଅଂଶଧନ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଏସ୍‌ବିଆଇ କ୍ୟାପିଟାଲକୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ତେବେ ନିର୍ଦ୍ଦିଷ୍ଟ ଦିବସ ପର୍ଯ୍ୟନ୍ତ ଏଟିହାଦ ଏୟାରଓ୍ବେଜ ସମେତ ୩ଟି କମ୍ପାନୀ ଜେଟ୍‌ର ବିଡିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଅନ୍ୟ କେତେକ ଅନୌପଚାରିକ ଭାବେ ଅଂଶଧନ କିଣିବା ଲାଗି ପ୍ରସ୍ତାବ ଦେଇଛନ୍ତି।

Share