ସପ୍ତାହକ ମଧ୍ୟରେ ଓଭରବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ କର

ବ୍ରହ୍ମପୁର ଅଫିସ,୧୬ା୧୦-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ରେଲୱେ ଓଭରବ୍ରିଜ ଅସମ୍ପୂର୍ଣ୍ଣ ରହିଛି। ଫଳରେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଡ଼ୁଛି। ସପ୍ତାହକ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗଞ୍ଜାମ ଜିଲା ଭାଜପା ଦାବି କରିଛି। ନ ହେଲେ ପ୍ରତିବାଦରେ ଇଞ୍ଜିନିୟରିଂ ସ୍କୁଲ ଛକରେ ଗଣଧାରଣା ସହ ୫୯ନଂ. ଜାତୀୟ ରାଜପଥ ଅବରୋଧ କରାଯିବାକୁ ଚେତାବନୀ ଦିଆଯାଇଛି। ଜିଲା ସଭାପତି କାହ୍ନୁ ଚରଣ ପତି ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଅହେତୁକ ବିଳମ୍ବ ପାଇଁ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗର ଅପାରଗତାକୁ ସେ ଦାୟୀ କରିଛନ୍ତି।
ମଙ୍ଗଳବାର ପତିଙ୍କ ସମେତ ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ଅନେକ କର୍ମୀ ଅସମ୍ପୂର୍ଣ୍ଣ ଓଭରବ୍ରିଜ ଉପରେ ଚାଲି ଚାଲି ସ୍ଥିତି ଅନୁଧ୍ୟାନ କରିଥିଲେ। ବିଳମ୍ବ କାରଣ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିଥିଲେ।
ଅଞ୍ଚଳର କେତେଜଣ ଉଚ୍ଛେଦକୁ ବିରୋଧ କରି ଅଦାଲତରେ ମାମଲା ରୁଜୁ କରିଥିବାରୁ ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେଇଥିବା ଏସ୍‌ଇ ସଫେଇ ଦେଇଥିଲେ। ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା ଏବଂ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ତାହା ଜନସେବା ପାଇଁ ଉତ୍ସର୍ଗ କରାଯିବା ଉପରେ ଭାଜପା ନେତାମାନେ ଗୁରୁତ୍ୱ ଦେଇଥିଲେ। ବୁଧବାର ଗଞ୍ଜାମ ଜିଲାପାଳଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ। ଅକ୍ଟୋବର ୧୮ରେ ଭୁବନେଶ୍ୱରରେ ପୂର୍ତ୍ତ ସଚିବଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ସଭାପତି ସୂଚାଇଛନ୍ତି। ମୂଳ ଡିଜାଇନ ଅପରିବର୍ତ୍ତିତ ରଖାଯିବାକୁ ଦାବି କରାଯାଇଛି।
ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୩ରେ ଓଭରବ୍ରିଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ରାଜ୍ୟ ସରକାର ଏହାର ବ୍ୟୟ ଅଟକଳ ୪୩.୨୯ କୋଟି ଟଙ୍କା ମଞ୍ଜୁର ସହ ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗକୁ ନ୍ୟସ୍ତ କରିଥିଲେ। ଏହାକୁ ୬ ବର୍ଷ ବିତିଛି ଏବଂ ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି।