ସପ୍ତାହକ ମଧ୍ୟରେ କେରଳ ଫେରିବେ ୨୧୫୦ ପ୍ରବାସୀ: ଅର୍ଥନୀତି ହେବ ପ୍ରଭାବିତ

କୋଚି,୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଥିବା କେରଳ ବାସିନ୍ଦା ଘରବାହୁଡ଼ିବା ଲାଗି ପଞ୍ଜିକରଣ କରିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ୨୧୫୦ ପ୍ରବାସୀ କେରଳ ଫେରିବେ। କେରଳର ଅର୍ଥନୀତି ମୁଖ୍ୟତଃ ପ୍ରବାସୀଙ୍କ ଉପରେ ନିର୍ଭର କରିଥାଏ। ପ୍ରତିବର୍ଷ ପ୍ରବାସୀମାନେ ରାଜ୍ୟକୁ ୬୦ ହଜାର କୋଟିରୁ ଅଧିକ ଟଙ୍କା ପଠାଇଥାନ୍ତି। ପ୍ରବାସୀମାନେ ଘରବାହୁଡ଼ିବା ଯୋଗୁ ରାଜ୍ୟର ଅର୍ଥନୀତି ପ୍ରଭାବିତ ହେବ ବୋଲି କୁହାଯାଉଛି। ରାଜ୍ୟର ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ବିଦେଶରେ ରହିଛନ୍ତି। କରୋନା ମାହାମାରୀ ସଙ୍କଟ ଯୋଗୁ ୪ ଲକ୍ଷ ୧୩ ହଜାର ଲୋକ ସ୍ବଦେଶ ଫେରିବାକୁ ପଞ୍ଜିିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬୧ ହଜାର ଲୋକ ଘରବାହୁଡ଼ିବାର କାରଣ ଚାକିରି ହରାଇଥିବା ଦର୍ଶାଇଛନ୍ତି। ସ୍ବଦେଶ ଫେରିବାକୁ ଆବେଦନ କରିଥିବା ଲୋକଙ୍କ ମଧ୍ୟରେ ୯ ହଜାର ଗର୍ଭବତୀ ମହିଳା, ୧୦ ହଜାର ଛୋଟ ପିଲା, ୧୧ ହଜାର ବୟସ୍କ ବ୍ୟକ୍ତି ରହିଛନ୍ତି। ସେହିପରି ୪୧ ହଜାର ବ୍ୟକ୍ତି ପର୍ଯ୍ୟଟନ ଭିଜାରେ ବିଦେଶ ଯାଇଥିଲେ। ଏବେ ସେମାନେ ଭାରତକୁ ଫେରିବାକୁ ଚାହୁଁଛନ୍ତି। କୋଚି ବିମାନ ବନ୍ଦରରେ ପ୍ରବାସୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବ।

Share