ସପ୍ତାହରେ ଥରେ ଖୋଲିବ ପରିବା ମାର୍କେଟ, ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶନାମା ଜାରି

ସୁନ୍ଦରଗଡ଼,୩୦ା୪(ଡି.ଏନ୍‌.ଏ.) : ଜିଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ପାଳନ ପାଇଁ ଜିଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କଣ୍ଟେନ୍‌ମେଣ୍ଟ ଘୋଷିତ ରାଉରକେଲା ମହାନଗର ନିଗମ ଓ ବିଶ୍ରା ଅଞ୍ଚଳ ବ୍ୟତୀତ ଜିଲାର ସମସ୍ତ ଅଞ୍ଚଳରେ ସପ୍ତାହରେ ଥରୁଟିଏ ପରିବା ମାର୍କେଟ୍‌ ଖୋଲିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସପ୍ତାହର ରବିବାର କେବଳ ଏହି ପରିବା ମାର୍କେଟ ଖୋଲିବ। ସୁନ୍ଦରଗଡ଼ରେ ବୁଧବାର କେବଳ ପରିବା ମାର୍କେଟ୍‌ ଖୋଲା ରହିବ । ସେହିପରି ରାଶନ ଦୋକାନଗୁଡିକ ପ୍ରତ୍ୟହ ସକାଳ ୬ରୁ ୧୧ଟା, ବହିଦୋକାନ ସକାଳ ୯ରୁ ୧୧ଟା ୫୯, କୃଷିଜାତ ସାମଗ୍ରୀ, ଯନ୍ତ୍ରପାତି,ବିହନ, ପଶୁଖାଦ୍ୟ ଓ ସାର ଦୋକାନଗୁଡ଼ିକ ସକାଳ ୯ରୁ ଅପରାହ୍ନ ୨ଟା, ଇଲୋକ୍‌ଟ୍ରୋନିକ୍ସ ଓ ସାଇକେଲ ମରାମତି ଦୋକାନ ପୂର୍ବାହ୍ନ ୧୦ରୁ ୬ଟା, ୨ଚକିଆ ଯାନ ମରାମତି ଦୋକାନ ସକାଳ ୬ରୁ ୧୧ଟା ଓ ଅପରାହ୍ନ ୪ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।
ସେହିପରି ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ୪ଚକିଆ, ୬ଚକିଆ ଗାଡ଼ି ମରାମତି ଦୋକାନ ମଧ୍ୟ ସକାଳ ୬ରୁ ୧୧ଟା ଓ ଅପରାହ୍ନ ୪ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ମାଛ,ମାଂସ ଓ ଚିକେନ ଦୋକାନ ଓ ସପ୍ତାହର କେବଳ ରବିବାର ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାରହିବ। ଅଣ୍ଡା ଓ ଫଳ ଦୋକାନ ପ୍ରତ୍ୟେକ ଦିନ ସକାଳ ୬ରୁ ୧୧ଟା ପର୍ଯ୍ୟନ୍ତ ଖୋଲାରହିବ। ହୋଟେଲ, ପାଉଁରୁଟି ଦୋକାନଗୁଡିକ କେବଳ ପାର୍ସଲ ପାଇଁ ସକାଳ ୮ରୁ ଅପରାହ୍ନ ୨ଟା ଓ ସନ୍ଧ୍ୟା ୬ରୁ ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ହାର୍ଡଓ୍ବାର ଓ ନିର୍ମାଣ ସାମଗ୍ରୀ ଦୋକାନ ପୂର୍ବାହ୍ନ ୧୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଔଷଧ ଦୋକାନଗୁଡ଼ିକ ୨୬ଘଣ୍ଟା ଖୋଲାରହିବା ସହ କ୍ଲିନିକ୍‌ ଓ ପାଥୋଲଜିଗୁଡିକ ସକାଳ ୬ରୁ ଅପରାହ୍ନ୨ଟା ଓ ଅପରାହ୍ନ ୫ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବା ସହିତ ଦୁଗ୍ଧ ଓ ଓମଫେଡ୍‌ ପାର୍ଲରଗୁଡିକ ସକାଳ ୬ରୁ ୧୧ଟା ଓ ଅପରାହ୍ନ ୫ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହିସବୁ ଦୋକାନଗୁଡ଼ିକରେ ସାମାଜିକ ଦୂରତା, ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯିବା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ଜନସାଧାରଣ ମୁହଁରେ ମାସ୍କ, ଗାମୁଛା, ରୁମାଲ ଆଦିରେ ଢାଙ୍କିବାକୁ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତ୍ୱକୁ ପାଳନ କରିବା ପାଇଁ ୫ଜଣରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି।