ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୭।୧(ବ୍ୟୁରୋ):ଗୋଟିଏ ସପ୍ତାହରେ ୩୯ ବିଭାଗ ସମେତ ୩୦ ଜିଲାରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଦୀର୍ଘବର୍ଷ ଧରି ପଦୋନ୍ନତି ଅପେକ୍ଷାରେ ଥିବା କର୍ମଚାରୀମାନଙ୍କୁ ଆଶ୍ୱସ୍ତି ମିଳିଛି। କେତେଜଣ କର୍ମଚାରୀ ଅବସର ପୂର୍ବରୁ ପଦୋନ୍ନତି ପାଇଥିବାରୁ ଖୁସି ଅଛନ୍ତି।
ବିଭିନ୍ନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨୪ରୁ ୩୧ ମଧ୍ୟରେ ଗ୍ରୁପ୍‌-ଏରେ ୮୫୨ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଗ୍ରୁପ୍‌-ବିରେ ୫୨୭, ଗ୍ରୁପ୍‌-ସିରେ ୧୪୯୬ ଏବଂ ଗ୍ରୁପ୍‌-ଡିରେ ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି। ସେହିପରି ୨୦୧୯ ଜାନୁୟାରୀରୁ ନଭେମ୍ବର ମାସ ସୁଦ୍ଧା ବିଭିନ୍ନ ବର୍ଗର ୯୭୬୬ ଜଣ ପଦୋନ୍ନତି ପାଇଛନ୍ତି। ଡିସେମ୍ବରରେ ପଦୋନ୍ନତି ପାଇଥିବା ୩୧୬୬ ଜଣଙ୍କୁ ମିଶାଇ ୨୦୧୯ରେ ବିଭିନ୍ନ ବର୍ଗର ମୋଟ୍‌ ୧୨,୯୩୨ ଜଣ କର୍ମଚାରୀ ପଦୋନ୍ନତି ସୁବିଧା ପାଇପାରିଛନ୍ତି। କେବଳ ଜିଲାସ୍ତରରେ ଏହି ସମୟ ମଧ୍ୟରେ ୩୧୩୯ ଜଣ ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷକରି ପଦୋନ୍ନତି ଦେବାକୁ ସବୁ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ଜିଲାଗୁଡିକୁ ମୁଖ୍ୟମନ୍ତ୍ରୀ ୨୦୧୯ ଡିସେମ୍ବର ୨୩ରେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ଅଧିକାରୀ ମଧ୍ୟ ଚଳଚଞ୍ଚଳ ହୋଇ ପଦୋନ୍ନତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିଥିଲେ। ଡିସେମ୍ବର ମାସ ଶେଷ ସପ୍ତାହରେ ବିଭିନ୍ନ ବିଭାଗରୁ ଏତେସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା ଏକ ରେକର୍ଡ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ନିମ୍ନ ଏବଂ ମଧ୍ୟମ ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ ଅଯଥା ହଇରାଣ ହରକତ ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷୋଭପ୍ରକାଶ କରିଥିଲେ। ପଦୋନ୍ନତି ପାଇଥିବା କର୍ମଚାରୀଙ୍କ ମଧ୍ୟରୁ ସ୍ବରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦ ଜଣ ପଦୋନ୍ନତି ପାଇଥିବାବେଳେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ୧୩୦୭ ଜଣ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦୋନ୍ନତି ପାଇଛନ୍ତି। ସେହିପରି ଜିଲାସ୍ତରରେ କଟକ ଜିଲାର ସର୍ବାଧିକ ୭୪୮ଜଣ କର୍ମଚାରୀ ପଦୋନ୍ନତି ପାଇଥିବା ବେଳେ ମୟୂରଭଞ୍ଜ ଜିଲାର ୨୮୧ ଏବଂ ଗଞ୍ଜାମରେ ୧୯୪ ଜଣ ପଦୋନ୍ନତି ପାଇଛନ୍ତି।

Share