ସପ୍ତାହରେ ୩ ଦିନ ଛୁଟି ପ୍ରସ୍ତାବ ଆଣିଲେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ଯଦି ସପ୍ତାହକୁ ୪ ଦିନ ଓ ପ୍ରତିଦିନ ମାତ୍ର ୬ ଘଣ୍ଟା କାମ କରିବାକୁ ପଡ଼େ ତେବେ କେହି ଏଭଳି ଚାକିରିକୁ ହାତଛଡା କରିବାକୁ ଚାହିଁବେନି। କାମର ବୋଝକୁ ହାଲୁକା କରିବା ଓ ପରିବାରକୁ ସମୟ ଦେବା ପାଇଁ କର୍ମଚାରୀଙ୍କ ଲାଗି ଏକ ସ୍ବତନ୍ତ୍ର ପ୍ରସ୍ତାବ ଆଣିଛନ୍ତି ଫିନ୍‌ଲାଣ୍ଡର ପ୍ରଧାନମନ୍ତ୍ରୀ ସନା ମରିନ୍‌। ୩୪ବର୍ଷୀୟ ସନା ବିଶ୍ୱର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ। ଏବେ କର୍ମଚାରୀଙ୍କ ପାଇଁ ଏଭଳି ପ୍ରସ୍ତାବ ଆଣି ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଫିନ୍‌ଲାଣ୍ଡର କର୍ମଚାରୀମାନଙ୍କୁ ଏବେ ସପ୍ତାହରେ ୩ ଦିନ ଛୁଟି ଓ ଦିନକୁ ୬ଘଣ୍ଟା କାମ କରିବାକୁ ପଡ଼ିବ। ସନାଙ୍କ ଅନୁସାରେ ଏହି ପ୍ରସ୍ତାବ ଦ୍ୱାରା ଲୋକମାନେ ପରିବାରକୁ ସମୟ ଦେବା ସହିତ ନିଜର ଅଧା ରହିଥିବା ସ୍ବପ୍ନକୁ ପୂରା କରିପାରିବେ। ଏଥିସହ କର୍ମଚାରୀମାନେ ଖୁସିରେ ରହିବେ। ଖୁସି ରହିବା ସହ କମ୍‌ ସମୟରେ ଅଧିକ କାମ କରିବା ଦ୍ୱାରା ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଫିନ୍‌ଲାଣ୍ଡର ପଡୋଶୀ ଦେଶ ସ୍ବୀଡେନରେ ୨୦୧୫ରେ ୬ଘଣ୍ଟା କାର୍ଯ୍ୟର ଆଇନ ଲାଗୁ କରାଯାଇଥିଲା। ଏଥିରେ କର୍ମଚାରୀ ଖୁସି ହୋଇ କାମ କରିଥିଲେ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହ ସେମାନଙ୍କର ଜୀବନଶୈଳୀରେ ଉନ୍ନତି ଆସିଥିବା ଜଣାପଡ଼ିଛି। ସେହିପରି ନଭେମ୍ବର ୨୦୧୮ରେ ଜାପାନର ଏକ ମାଇକ୍ରୋସଫ୍ଟ କମ୍ପାନୀରେ ଏଭଳି ଏକ ପ୍ରସ୍ତାବକୁ ନେଇ ସର୍ଭେ କରାଯାଇଥିଲା। କର୍ମଚାରୀମାନେ ୪ ଦିନ କାମ କରିଥିବା ବେଳେ ଏହାର ଫଳାଫଳ ଭଲ ଆସିଥିଲା। ଏଥିରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ତେବେ ସନାଙ୍କ ଏହି ପ୍ରସ୍ତାବକୁ ଫିନ୍‌ଲାଣ୍ଡର ଶିକ୍ଷା ମନ୍ତ୍ରୀ ଓ ଜନତା ସ୍ବାଗତ କରିଛନ୍ତି।

Share