ସପ୍ତାହେ ହେଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ବିଦ୍ୟୁତ, ମୋବାଇଲ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୧୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ଦାରିଙ୍ଗବାଡ଼ିରେ ଗତ କିଛିଦିନ ହେଲା ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି। ବ୍ରାହ୍ମଣୀଗାଁ ସମେତ ଗଦାପୁର, ତାଜୁଙ୍ଗିଆରେ ଏକ ସପ୍ତାହ ହେଲା ଏହି ସେବା ବନ୍ଦ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ଗତ ୩ ଦିନ ହେଲା ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଅଞ୍ଚଳବାସୀ ନାନା ହଇରାଣ ହରକତ ହେଉଛନ୍ତି। ଟେଲିସେବା ବନ୍ଦ ଯୋଗୁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଛି। ଫଳରେ ଜନସେବାକେନ୍ଦ୍ର, କ୍ଷୁଦ୍ର ବ୍ୟାଙ୍କ ସେବା ଅଚଳ ହୋଇପଡ଼ିଛି। ଅର୍ଥ କାରବାର ବନ୍ଦ ଯୋଗୁ ଗରିବ ଲୋକ ସରକାରଙ୍କ ବିଭିନ୍ନ ଯୋଜନାରୁ ମିଳିବାକୁ ରହିଥିବା ଅର୍ଥ ବ୍ୟାଙ୍କଗୁଡ଼ିକରୁ ସଠିକ୍‌ ଭାବେ ପାଇପାରୁନାହାନ୍ତି। ସେହିପରି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଏବଂ ୧୩୨ କେଭିର ରକ୍ଷଣାବେକ୍ଷଣ ପାଇଁ ଜିଲାରେ ବିଦ୍ୟୁତ ଦିନକୁ ୧୦ ଘଣ୍ଟା କଟାଯାଉଛି। ଏନେଇ ଏହି ସେବାରେ ବାଧା ଦେଖାଯାଇଛି। ସେହିପରି ଜରୁରୀକାଳିନ ପରିସ୍ଥିତିରେ ଲୋକେ ସ୍ବାସ୍ଥ୍ୟ ଖରାପ ହେଲେ ଆମ୍ବୁଲାନ୍ସ ଡାକିପାରୁନାହାନ୍ତି। ପୋଲିସ ଷ୍ଟେଶନକୁ ଫୋନ୍‌ ଲାଗୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ୫୯ ନଂ. ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁ ବାରମ୍ବାର ଓଏଫ୍‌ସି( ଅପଟିକ୍‌ ଫାଇବର କେବୁଲ) କଟିଯାଇଥିବା ବିଏସ୍‌ଏନ୍‌ଏଲ୍‌ର ବାଲିଗୁଡ଼ା ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି କହିଛନ୍ତି। ଶନିବାର କେବୁଲ ଯୋଡ଼ିବା କାର୍ଯ୍ୟ ସରିଥିଲା କିନ୍ତୁ ରାସ୍ତା ସଂପ୍ରସାରଣ ପାଇଁ ପୁଣି କେବୁଲ କଟିଯାଇଥିବା ସେ କହିଛନ୍ତି। ମରାମତି କାର୍ଯ୍ୟ ଚାଲିଛି, ଲୋକଙ୍କୁ ଖୁବ୍‌ ଶୀଘ୍ର ଟେଲିସେବା ଯୋଗାଇ ଦେବାକୁ ବିଭାଗ ଉଦ୍ୟମ କରୁଥିବା ସେ କହିଛନ୍ତି।

Share