ସଫଳତା ପଛରେ ରହିଛି କଠିନ ପରିଶ୍ରମ

ଫୁଲବାଣୀ ଅଫିସ, ୩ା୨-ଲୋକେ ଭାବନ୍ତି କନ୍ଧମାଳ ପଛୁଆ ବା ଅନୁନ୍ନତ। ଏବେ ଆଉ ସେ କନ୍ଧମାଳ ନାହିଁ। ଏହା ଉନ୍ନତି ପଥରେ ଆଗେଇ ଚାଲିଛି। ଆଗାମୀ ଦିନରେ ଏହା ଆଗୁଆ ଜିଲାରେ ପରିଣତ ହେବ। ଯେଉଁଠି ବି ଉନ୍ନତି ହୋଇଛି ତା ପଛରେ ରହଛି ସଫଳ ବ୍ୟକ୍ତିତ୍ୱଙ୍କ ପ୍ରଚ୍ଛନ୍ନ ହାତ। ସଫଳ ସେହିମାନେ ହୁଅନ୍ତି, ଯେଉଁମାନେ କଠୋର ପରିଶ୍ରମ କରନ୍ତି। ତେଣୁ ଆମକୁ ପ୍ରଥମେ ପରିଶ୍ରମ କରିବାକୁ ପଡିବ ବୋଲି କନ୍ଧମାଳ ମହୋତ୍ସବ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଅଧିକ ବୁଝାଇବାକୁ ଯାଇ ସେ ଆହୁରି କହଛନ୍ତି, ଆଜିର ଏହି ଉତ୍ସବରେ ଯେଉଁ ୪ ମହିଳା ମଞ୍ଚାସୀନ ଅଛନ୍ତି, ସେମାନେ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ। ଜିଲାପାଳ ଡାକ୍ତରୀ ପଢ଼ିବା ପରେ ଭାରତୀୟ ପ୍ରଶାସନିକ ସେବାରେ ସଫଳ। ଦୌଡିବା ପାଇଁ ଦୂତୀ ଚାନ୍ଦ ବିଶ୍ୱରେ ପରିଚିତ। ଜିଲା ପରିଷଦ ଅଧ୍ୟକ୍ଷା ରାଜନୀତି କ୍ଷେତ୍ରରେ କଷ୍ଟ କରି ଆଜି ଏହି ପଦବୀରେ ବସିଛନ୍ତି। ଅର୍ଚ୍ଚିତା ଇଞ୍ଜିନିୟରିଂ ଛାତ୍ରୀ ହୋଇ ବି ଓଡିଆ ଫିଲ୍ପ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କନ୍ଧମାଳରେ ଅନେକ ଲୋକ ଅଛନ୍ତି, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ତେଣୁ ନିଜକୁ ପଛୁଆ ନ ଭାବି ସବୁଥିରେ ଆଗୁଆ ହେବା ପାଇଁ ପରିଶ୍ରମ କର ବୋଲି ଏମ୍‌ପି କହିଥିଲେ।
ଫୁଲବାଣୀ କରୋନେଶନ ପଡିଆରେ ଜିଲାପାଳ ଡା.ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, କ୍ରୀଡାବିତ୍‌ ଦୂତୀ ଚାନ୍ଦ, ଆଇଏଏସ ପ୍ରୋବେସନର ଡା.ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ସିନେତାରକା ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମକୁ ଦର୍ଶକ ଭରପୁର ଉପଭୋଗ କରିଥିଲେ। ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହାରାଷ୍ଟ୍ରର ପୁରୁଲିଆ ଛଉ, ରାଜସ୍ଥାନର ଚକ୍ରି ଏବଂ ସୁନ୍ଦରଗଡର ଲୋକନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ପୂର୍ବାହ୍ନରେ ମା’ ନାରାୟଣୀଙ୍କ ମନ୍ଦିରରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ସେଠାରୁ ମା’ ମଶାଲ ଅଣାଯାଇ ଉତ୍ସବ ପାଖରେ ସ୍ଥାପନ କରାଯାଇଥିଲା। ବହୁ ସଂଖ୍ୟାରେ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ। ଆଦିବାସୀମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଅସ୍ତ୍ରଶସ୍ତ୍ର ଧରି ନାଚି ନାଚି ପଡିଆ ଯାଏ ଆସିଥିଲେ। ମହୋତ୍ସବ ସହ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ ହୋଇଛି। ରାଜ୍ୟ ତଥା ବାହାରୁ ବ୍ୟବସାୟୀ ଏଠାରେ ଷ୍ଟଲ ଖୋଲିଛନ୍ତି। ପ୍ରାୟ ୧୪୪ଟି ଷ୍ଟଲ ଚଳିତ ବର୍ଷ କରାଯାଇଛି। ଉଦ୍‌ଘାଟନୀ ଉତ୍ସବ ଛୁଟି ଦିନରେ ହୋଇଥିବାରୁ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ବହୁ ଜନସାଧାରଣଙ୍କ ଭିଡ ଜମିଥିଲା। ସେହିପରି ଷ୍ଟଲଗୁଡିକରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି।

Share