ସଫଳତା ସାଉଁଟୁଛି ‘ଜୋକର’

ମୁମ୍ବାଇ: ଗାନ୍ଧୀ ଜୟନ୍ତୀ ଅବସରରେ ସିନେମା ଘରେ ମୁକ୍ତିଲାଭ କରିଥିବା ହଲିଉଡ୍‌ ଫିଲ୍ମ ‘ଜୋକର’ ମଧ୍ୟ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରିଛି। ତୋଡ୍‌ ଫିଲିପ୍ସ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଜୋକର’ରେ ଜୋକ୍ୱିନ୍‌ ଫୋଏନିକ୍ସ ମାନସିକ ରୋଗରେ ପୀଡ଼ିତ ଅସଫଳ ଷ୍ଟାଣ୍ଡଅପ୍‌ କମେଡିଆନ ଆର୍ଥର ପ୍ଲେକ୍ସଙ୍କ ଭୂମିକାରେ ନଜର ଆସିଛନ୍ତି। ଭାରତର ମେଟ୍ରୋ ସିଟିର କେତେକ ହଲ୍‌ରେ ଏହା ରିଲିଜ୍‌ ହୋଇଥିବାବେଳେ ପ୍ରଥମ ସପ୍ତାହରେ ଫିଲ୍ମଟି ୩୨.୭ କୋଟି ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନରେ ଏହା ୫.୧୫ କୋଟି ଟଙ୍କା ଆୟ କରିଥିଲା। ଜୋକ୍ୱିନ୍‌ଙ୍କ ବ୍ୟତୀତ ରବର୍ଟ ଡି ନିରୋ, ବିଲ୍‌ କାମ୍ପ, ଫ୍ରାନ୍ସେସ୍‌ କୋନରଏ, ବ୍ରିଟ୍‌ କଲେନ୍‌, ଗ୍ଲନ୍‌ ଫ୍ଲେସଲର, ମାର୍କ ମାରୋନ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଅନ୍ୟପଟେ ପ୍ରଥମ ସପ୍ତାହରେ ବକ୍ସ ଅଫିସ୍‌ରେ ଜୋର୍‌ଦାର ରୋଜଗାର କରିଛି ହ୍ରିତିକ୍‌ ରୋଶନ ଓ ଟାଇଗର ସ୍ରଫ୍‌ଙ୍କ ଅଭିନୀତ ଫିଲ୍ମ ଓ୍ବାର୍‌। ଭାରତରେ ୪ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ୮ ଦିନ ଭିତରେ ୨୧୬.୬୫ କୋଟି ଟଙ୍କା ରୋଜଗାର କରିଛି। ୟଶ୍‌ରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରି ସେଲିଂରେ ଏହା ୩୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିଥିବାବେଳେ ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୫୧.୬୦ କୋଟି ଟଙ୍କା କଲେକ୍ସନ କରିଥିଲା। ଏଥିସହ ଚଳିତବର୍ଷ ରିଲିଜ ହୋଇଥିବା ସମସ୍ତ ବଲିଉଡ୍‌ ଫିଲ୍ମ ମଧ୍ୟରୁ ଅଧିକ ଆୟ କରି ହ୍ରିତିକ୍‌-ଟାଇଗରଙ୍କ ମୁଭି ‘ଓ୍ବାର୍‌’ ରେକର୍ଡ ସୃଷ୍ଟି କରିଛି। ଆକ୍ସନ, ଥ୍ରୀଲର ଓ ସସ୍‌ପେନ୍ସକୁ ନେଇ ନିର୍ମିତ ଏହି ଫିଲ୍ମରେ ଟାଇଗର ହ୍ରିତିକ୍‌ଙ୍କ ଶିଷ୍ୟ ଭୂମିକାରେ ନଜର ଆସିଛନ୍ତି।

Share